ARTICLE AD BOX
ଯାଜପୁର (ଗଦାଧର ପଣ୍ଡା): ରାଜ୍ୟର ଦ୍ବିତୀୟ ବୃହତ୍ ଚିରସ୍ରୋତା ବ୍ରାହ୍ମଣୀ ନଦୀର ସ୍ବାସ୍ଥ୍ୟ ଏବେ ବିଗିଡ଼ିବାକୁ ବସିଲାଣି। ବର୍ଷକ ୧୨ ମାସରୁ ୯ ମାସ ଏହି ନଦୀ ଶୁଖିଲା ପଡ଼ୁଛି। ଯାଜପୁର ଜିଲ୍ଲାର କବାଟବନ୍ଧ, ଜେନାପୁରଠାରୁ ତଳମୁଣ୍ଡ ପର୍ଯ୍ୟନ୍ତ ନଦୀର ସ୍ରୋତ ସଂପୂର୍ଣ୍ଣ ବନ୍ଦ ହୋଇଗଲାଣି। ତଳିଆ ଅଞ୍ଚଳ ଶୁଖିଲା ପଡ଼ିବା ଦ୍ବାରା ନଦୀମଝିରେ ତଣ୍ଡିବଣ ସହିତ ବଡ଼ ଗଛ, ବାଲିକୁଦମାନ ଦେଖିବାକୁ ମିଳୁଛି। ନଦୀର ଜଳପ୍ରବାହରେ ଏହା ବାଧା ସୃଷ୍ଟି କରୁଛି। ଏବେଠୁ ବ୍ରାହ୍ମଣୀ କଥା ଚିନ୍ତା ନ କଲେ ବା ଏହାକୁ ନେଇ ସ୍ବତନ୍ତ୍ର ଯୋଜନା ନ କଲେ ଓଡ଼ିଶାର ଏହି ଦ୍ବିତୀୟ ବୃହତ୍ ନଦୀ ଆଗାମୀ ଦିନରେ ଅକାଳ ମୃତ୍ୟୁର ଶିକାର ହେବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ବ୍ରାହ୍ମଣୀକୁ ବଞ୍ଚାଇବାକୁ ହେଲେ ବ୍ରାହ୍ମଣୀର ଶାଖାନଦୀ ଖରସ୍ରୋତାର ଯୋକଡ଼ିଆଠାରେ ଏକ ବୃହତ୍ ବ୍ୟାରେଜ ନିର୍ମାଣ ଅପରିହାର୍ଯ୍ୟ ହୋଇପଡ଼ିଛି। ଅନ୍ୟପକ୍ଷରେ ବ୍ରାହ୍ମଣୀ ଓ ଖରସ୍ରୋତାରେ ପାଣି ନ ରହିଲେ ଆଗାମୀ ଦିନରେ ଏହାର ଗଭୀର ପ୍ରଭାବ କଳିଙ୍ଗନଗର ଶିଳ୍ପାଞ୍ଚଳ ଉପରେ ପଡ଼ିବ। ଏଠାରେ ଗଢ଼ି ଉଠିଥିବା ବୃହତ୍ ଇସ୍ପାତ ଓ ଅନ୍ୟ କାରଖାନାରେ ତାଲା ଝୁଲିବ। ଏଥିସହିତ ଯାଜପୁର ଜିଲ୍ଲାର କୃଷି ଅର୍ଥନୀତି ମଧ୍ୟ ପ୍ରଭାବିତ ହେବ।
Scam: ପଟ୍ଟନାୟକ ବନ୍ଧ ଦୁର୍ନୀତି ପଦାରେ ପଡ଼ିବା ପରେ ଅନ୍ୟ ପ୍ରକଳ୍ପକୁ ନେଇ ଚର୍ଚ୍ଚା
ଯୋକଡ଼ିଆଠାରେ ୭୧୨ କୋଟି ଟଙ୍କା ବ୍ୟୟରେ ଏକ ବ୍ୟାରେଜ୍ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲେ ମଧ୍ୟ ଜଳସଂପଦ ବିଭାଗ ଏହାକୁ ଗୁରୁତ୍ବ ଦେଉନାହିଁ। ଫଳରେ ବ୍ରାହ୍ମଣୀ ବର୍ଷ ସାରା ଶୁଖିଲା ରହୁଛି। ଜେନାପୁର ଓ ଚକୁଆ ପାଖରୁ ବ୍ରାହ୍ମଣୀ ଦୁଇ ଭାଗ ହୋଇଛି। ଏଠାରୁ ଖରସ୍ରୋତା ନଦୀ ବାହାରିଛି। ଏହି ଦୁଇନଦୀ ମଧ୍ୟରୁ ଶାଖା ନଦୀ ଖରସ୍ରୋତାରେ ବର୍ଷତମାମ ଜଳସ୍ରୋତ ଥିବାବେଳେ ବ୍ରାହ୍ମଣୀରେ ପାଣି ଦେଖିବାକୁ ମିଳୁନି। ଅନ୍ୟପକ୍ଷରେ ବ୍ରାହ୍ମଣୀ ନଦୀର ପଙ୍କପାଳ ଓ ଖରସ୍ରୋତା ନଦୀରୁ କଳିଙ୍ଗନଗରର ସମସ୍ତ ଶିଳ୍ପାନୁଷ୍ଠାନ ପାଣି ନେଉଛନ୍ତି। ସେହିଭଳି ଖରସ୍ରୋତାରେ ବ୍ୟାସନଗର ସହର ସମେତ ରସୁଲପୁର ଓ ଅନ୍ୟ କିଛି ବ୍ଲକ୍ ପାଇଁ ମେଗା ପାନୀୟଜଳ ପ୍ରକଳ୍ପମାନ ଗଢ଼ି ଉଠିଛି। ଖପୁରିଆପଦା ପଞ୍ଚାୟତର ମାର୍ଥାପୁରରୁ ବୃହତ୍ ଶିଳ୍ପ ସଂସ୍ଥା ଏକ ଇନ୍ଟେକ୍ ୱେଲ୍ କରି ପ୍ରତି ମିନିଟ୍ରେ ଦୁଇଲକ୍ଷ ଲିଟର ପାଣି ଶୋଷୁଛି। ଆଗାମୀ ଦିନରେ ଆହୁରି ଅନେକ ଶିଳ୍ପ ଗଢ଼ି ଉଠିବାର ପ୍ରସ୍ତାବ ରହିଛି। କଳିଙ୍ଗନଗରର ଶିଳ୍ପାଞ୍ଚଳ ଓ ବ୍ରାହ୍ମଣୀ ନଦୀର କମ୍ ଜଳପ୍ରବାହକୁ ଦୃଷ୍ଟିରେ ରଖି ଜଳସଂପଦ ବିଭାଗ ଖରସ୍ରୋତା ନଦୀର ଯୋକଡ଼ିଆ ଆନିକଟଠାରେ ଏକ ବଡ଼ ବ୍ୟାରେଜ୍ ନିର୍ମାଣ କରିବାକୁ ଯୋଜନା କରିଥିଲା। ଏଥିପାଇଁ ୭୧୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇ ରୂପରେଖ ପ୍ରସ୍ତୁତ ସରିଥିଲା। ଗତ ୨୦୦୯ରୁ ଏହି ପ୍ରସ୍ତାବିତ ପ୍ରକଳ୍ପକୁ ମଞ୍ଜୁରି ମିଳି ପାରୁନାହିଁ। ଏହାକୁ ନେଇ ବାରମ୍ବାର ଆଲୋଚନା ହୋଇଥିଲେ ବି ସ୍ଥାନୀୟ ରାଜନୈତିକ ନେତୃବୃନ୍ଦଙ୍କ ଆନ୍ତରିକତା ଅଭାବ ଯୋଗୁଁ ଏହି ପ୍ରକଳ୍ପ ଆରମ୍ଭ ହୋଇ ପାରୁନଥିବା କୁହାଯାଉଛି।
Flood in Bhadrak: ଲୋକଙ୍କ ପାଖରେ ଠିକ୍ ଭାବରେ ରିଲିଫ୍ ସାମଗ୍ରୀ ପହଞ୍ଚି ପାରିନି: ବିଜେଡି
ଯୋକଡ଼ିଆଠାରେ ବ୍ୟାରେଜ୍ ନିର୍ମାଣ ହେଲେ ଖରସ୍ରୋତା ଓ ବ୍ରାହ୍ମଣୀ ନଦୀରେ ପର୍ଯ୍ୟାପ୍ତ ଜଳ ମହଜୁଦ ରଖାଯାଇପାରିବ। ଏହାଦ୍ବାରା ଜେନାପୁରଠାରୁ ତଳମୁଣ୍ଡ ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀ ମଧ୍ୟ ଚିରାସ୍ରୋତା ହେବା ସହିତ ରାଜ୍ୟର ଏହି ଦ୍ବିତୀୟ ବୃହତ୍ ନଦୀ ଅପମୃତ୍ୟୁରୁ ବଞ୍ଚିଯିବ। ଶିଳ୍ପାନୁଷ୍ଠାନଗୁଡ଼ିକ ଏଠାରୁ ପର୍ଯ୍ୟାପ୍ତ ଜଳ ପାଇବାରେ ଅସୁବିଧା ରହିବ ନାହିଁ। ବ୍ରାହ୍ମଣୀ ନଦୀକୁ ବଞ୍ଚାଇବା ଓ କଳିଙ୍ଗନଗର ଶିଳ୍ପସଂସ୍ଥାର ଭବିଷ୍ୟତକୁ ଦୃଷ୍ଟିରେ ରଖି ଯୋକଡ଼ିଆ ବ୍ୟାରେଜ୍ ନିର୍ମାଣ ଅପରିହାର୍ଯ୍ୟ ଥିବା ଜଳସଂପଦ ବିଭାଗର ଜଣେ ପୂର୍ବତନ ଅଧିକାରୀ ମତ ରଖିଛନ୍ତି। ସୂଚନାଯୋଗ୍ୟ, ବ୍ରିଟିସ୍ ସମୟରେ ୧୮୮୧ ମସିହାରେ ଯୋକଡ଼ିଆଠାରେ ଯୋବ୍ରା ଭଳି ଏକ ବିରାଟ ଆନିକଟ ନିର୍ମାଣ କରାଯାଇଥିଲା। ଜଳସେଚନ, ପରିବହନ ପାଇଁ ସେତେବେଳେ ଏହି ଆନିକଟର ବ୍ୟବହାର କରାଯାଉଥିଲା। ଏବେ ସେହି ଆନିକଟ ସଂପୂର୍ଣ୍ଣ ପୋତି ହୋଇପଡ଼ିଛି।

1 week ago
4


