ARTICLE AD BOX
ଦାନ୍ତ ତେଢ଼ା କିମ୍ବା ଅସମାନ ଥିଲେ ବ୍ରେସେସ୍ ବା ଆଲାଇନର୍ସ ଲଗାଇବାର ଉପଯୁକ୍ତ ବୟସ କେତେ ଓ ଏହା କେତେ ସମୟ ପର୍ଯ୍ୟନ୍ତ ଚାଲେ?
ଏହା ସାଧାରଣତଃ ୧୨ ବର୍ଷ ପରେ କରାଯାଇଥାଏ, ଯେତେବେଳେ ସବୁ ସ୍ଥାୟୀ ଦାନ୍ତ ପାଟିରେ ଉଠିଯାଇଥାଏ। ଏହା ସମ୍ପୂର୍ଣ୍ଣ ଭାବେ ରୋଗୀର ଅବସ୍ଥା ଓ ଦାନ୍ତର ସମସ୍ୟା ଉପରେ ନିର୍ଭର କରେ। ସାଧାରଣତଃ ଏଥିପାଇଁ ୪ ମାସରୁ ୬ ମାସ, ବେଳେବେଳେ ଗମ୍ଭୀର ସମସ୍ୟା ଥିଲେ ୧ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ମଧ୍ୟ ଲାଗିପାରେ।
ବୟସ୍କ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଦାନ୍ତ ସିଧା କରିବା କିମ୍ବା ଅର୍ଥୋଡଣ୍ଟିକ୍ ଚିକିତ୍ସା କରାଇବା ସମ୍ଭବ କି? ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଅଛି?
ଏହାର କୌଣସି ବଡ଼ ଧରଣର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ଆଜିକାଲି ବୟସ୍କ ଲୋକମାନେ ମଧ୍ୟ ସୌନ୍ଦର୍ଯ୍ୟ ଓ ଆକର୍ଷଣୀୟ ହସ ପାଇଁ ଏହି ପ୍ରକ୍ରିୟାକୁ ବହୁତ ପସନ୍ଦ କରୁଛନ୍ତି। ବ୍ରେସେସ୍ ଟାଇଟ୍ କରାଯିବା ଦିନ କିଛି ସମୟ ପାଇଁ ମାଢ଼ିରେ ସାମାନ୍ୟ ଯନ୍ତ୍ରଣା ହୋଇପାରେ, ଯାହାର ଉପଶମ ପାଇଁ ଡାକ୍ତରଙ୍କ ଦ୍ୱାରା ଔଷଧ ଦିଆଯାଇଥାଏ।
ଆଲାଇନର୍ ଓ ପାରମ୍ପରିକ ଧାତବ ବ୍ରେସେସ୍ ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି?
ଆଲାଇନର୍ ସମ୍ପୂର୍ଣ୍ଣ ସ୍ୱଚ୍ଛ ବା ଟ୍ରାନ୍ସପରେଣ୍ଟ୍ ହୋଇଥାଏ, ଯାହା ଦ୍ୱାରା ବାହାରୁ ଏହା ଜାଣିହୁଏ ନାହିଁ। ବିଶେଷକରି କର୍ମଜୀବୀ ମହିଳା ଓ ପୁରୁଷମାନେ ଏହାକୁ ଅଧିକ ପସନ୍ଦ କରନ୍ତି। ଲ୍ୟାବ୍ରେ ପ୍ରସ୍ତୁତ ହେଉଥିବାରୁ ଏହା ଟିକେ ମହଙ୍ଗା ହୋଇଥାଏ। ଏହା ପାଟିରେ ଲଗାଯାଇଥାଏ ଓ ବାହାରୁ ସ୍ପଷ୍ଟ ଦେଖାଯାଇଥାଏ। ବ୍ରେସେସ୍ ତୁଳନାତ୍ମକ ଭାବେ ଶସ୍ତା।
ଏହି ଚିକିତ୍ସାର ଲାଭ କ’ଣ ଓ କ୍ଷତି କ’ଣ?
ବାହାଡ଼ା କିମ୍ବା ଫାଙ୍କା ଦାନ୍ତ ସିଧା ହୋଇ ହସ ସୁନ୍ଦର ଦେଖାଯାଏ। ଦାନ୍ତ ସିଧା ରହିଲେ ସଫା କରିବା ସହଜ ହୁଏ, ଯାହାଦ୍ୱାରା କ୍ୟାଭିଟି ଓ ମାଢ଼ି ସମସ୍ୟାରୁ ମୁକ୍ତି ମିଳେ। ଦାନ୍ତ ଠିକ୍ ଭାବେ ନରହିଲେ ଖାଦ୍ୟ ଚୋବାଇବାରେ ଅସୁବିଧା ହୁଏ, ଯାହା ଟିଏମ୍. ଜଏଣ୍ଟ୍ ଉପରେ ଚାପ ପକାଏ। କିନ୍ତୁ ଚିକିତ୍ସା ପରେ ଏହି ସମସ୍ୟା ଦୂର ହୋଇଯାଏ।
ଚିକିତ୍ସା ସରିବା ପରେ ଦାନ୍ତଗୁଡ଼ିକ ପୁଣିଥରେ ପୂର୍ବ ସ୍ଥାନକୁ ଫେରିଯିବାର ଆଶଙ୍କା ଥାଏ କି?
ନା। ସବୁ କ୍ଷେତ୍ରରେ ଦାନ୍ତଗୁଡ଼ିକ ପୁଣିଥରେ ପୂର୍ବ ସ୍ଥାନକୁ ଫେରିଯିବାର ଆଶଙ୍କା ନଥାଏ। କେବଳ ଫାଙ୍କା ଦାନ୍ତକୁ ଯଦି ଚିକିତ୍ସା କରାଯାଇଛି, ତେବେ ଡାକ୍ତରମାନେ ‘ରିଟେନର୍’ ବ୍ୟବହାର କରିବାକୁ ପରାମର୍ଶ ଦିଅନ୍ତି। ଏହା ଅତ୍ୟନ୍ତ ପତଳା ଓ ଦାନ୍ତର ଭିତର ପଟେ ଲାଗୁଥିବାରୁ ଅନ୍ୟମାନେ ଏହାକୁ ସହଜରେ ଜାଣିପାରନ୍ତି ନାହିଁ।

1 hour ago
1


