ARTICLE AD BOX
ନୂଆଦିଲ୍ଲୀ: ସତ୍ୟନିଷ୍ଠାର ସହ ପରିଶ୍ରମ ଓ ସଂଘର୍ଷ କଲେ ତାହାର ଫଳ ଦିନେ ନା ଦିନେ ନିଶ୍ଚୟ ମିଳେ। ମୁମ୍ବାଇରୁ ଏପରି ଏକ ଭାବପ୍ରବଣ ଓ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ଆପଣାଛାଏଁ ଲୁହ ଜକେଇ ଆସିବ। ମହଙ୍ଗା ଦର ଓ ଆର୍ଥିକ ଅଭାବ ଯୋଗୁଁ ବାଇକ୍ କିଣିପାରୁ ନଥିବା ଜଣେ ବ୍ଲିଙ୍କିଟ୍ ଡେଲିଭରି ବୟଙ୍କୁ ଯେତେବେଳେ ହଠାତ୍ ଏକ ନୂଆ ସ୍କୁଟି ଉପହାର ମିଳିଲା, ସେ ନିଜ ଲୁହକୁ ରୋକିପାରି ନଥିଲେ। ଦେଶର ଜଣାଶୁଣା ଶିଳ୍ପପତି ଅନନ୍ତ ଅମ୍ବାନୀଙ୍କ ସଂସ୍ଥା ‘ଅନନ୍ତ ସେବା ଫାଉଣ୍ଡେସନ୍’ ପକ୍ଷରୁ ଏହି ସୁନ୍ଦର ଉପହାର ଦିଆଯାଇଛି।
‘ବାଇକ୍ କାହିଁକି କିଣୁନାହଁ?’ ପ୍ରଶ୍ନରେ ଛଳଛଳ ହୋଇଗଲା ଆଖି
ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସର ତଥା ସମାଜସେବୀ ହୁସେନ୍ ମନସୁରୀ ଇନ୍ଷ୍ଟାଗ୍ରାମ୍ରେ ଏହି ଘଟଣାର ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ମୁମ୍ବାଇର ରାସ୍ତାରେ ସୁଜିତ ନାମକ ଜଣେ ଡେଲିଭରି ବୟ ପ୍ରବଳ ଖରାରେ ସାଇକେଲ୍ ଚଳାଇ ଲୋକଙ୍କ ଘରେ ସାମଗ୍ରୀ ପହଞ୍ଚାଉଥିଲେ। ଏହି ସମୟରେ ହୁସେନ୍ ମନସୁରୀ ତାଙ୍କୁ ଅଟକାଇ ସ୍ନେହର ସହ ନାମ ପଚାରିଥିଲେ। ଏହାପରେ ସେ ପଚାରିଥିଲେ, ତୁମେ ବାଇକ୍ରେ ଡେଲିଭରି କାହିଁକି କରୁନାହଁ? ଏହାର ଉତ୍ତରରେ ସୁଜିତ ନିଜ ଅସହାୟତା ପ୍ରକାଶ କରି କହିଥିଲେ, “ସାର୍, ଏତେ କମ୍ ରୋଜଗାରରେ ମୁଁ ବାଇକ୍ କେମିତି କିଣିବି? ଆଜିକାଲି ଦରଦାମ୍ ବହୁତ ବଢ଼ିଯାଇଛି।”
ଆଖିରେ ବାନ୍ଧିଲେ ପଟି, ଆଉ ସରପ୍ରାଇଜ୍ ଦେଖି କୁଣ୍ଢାଇ କାନ୍ଦିଲେ ଡେଲିଭରି ବୟ
ସୁଜିତଙ୍କ କଥା ଶୁଣିବା ପରେ ହୁସେନ୍ ମନସୁରୀ ତାଙ୍କୁ ପ୍ରଥମେ ନିଜର ଅର୍ଡର ଡେଲିଭରି କରି ଫେରିବାକୁ କହିଥିଲେ। ଏହା ସହ ତାଙ୍କୁ ଏକ ସରପ୍ରାଇଜ୍ ଦେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ସୁଜିତ ନିଜ କାମ ଶେଷ କରି ଫେରିବା ପରେ ହୁସେନ୍ ତାଙ୍କ ଆଖିରେ ପଟି ବାନ୍ଧି ଲାଲ୍ କପଡ଼ାରେ ଢଙ୍କା ହୋଇଥିବା ଏକ ଜିନିଷ ପାଖକୁ ନେଇଯାଇଥିଲେ। କପଡ଼ା ହଟାଇ ହୁସେନ୍ କହିଥିଲେ, “ଏହା ଅନନ୍ତ ଅମ୍ବାନୀ ଜୀଙ୍କ ତରଫରୁ ଆପଣଙ୍କ ପାଇଁ ଏକ ଛୋଟ ଉପହାର।”
କପଡ଼ା ହଟିବା ମାତ୍ରେ ସାମ୍ନାରେ ଏକ ନୂଆ ଇଲେକ୍ଟ୍ରିକ୍ ସ୍କୁଟି ଦେଖି ସୁଜିତଙ୍କ ଆଖିରୁ ଧାରଧାର ଲୁହ ବୋହିବାକୁ ଲାଗିଥିଲା। ସେ ତୁରନ୍ତ ହୁସେନ୍ ମନସୁରୀଙ୍କୁ କୁଣ୍ଢାଇ ଧରିଥିଲେ ଏବଂ ଭାବବିହ୍ୱଳ ହୋଇ କାନ୍ଦି କାନ୍ଦି ଧନ୍ୟବାଦ ଜଣାଇଥିଲେ।
ମୁମ୍ବାଇର ପରିଶ୍ରମୀ ଲୋକଙ୍କୁ ବଣ୍ଟାଯାଉଛି ଇଲେକ୍ଟ୍ରିକ୍ ଗାଡ଼ି
ରିପୋର୍ଟ ଅନୁଯାୟୀ, ଏହା ଏକମାତ୍ର ଉପହାର ନୁହେଁ। ଅନନ୍ତ ଅମ୍ବାନୀଙ୍କ ‘ଅନନ୍ତ ସେବା ଫାଉଣ୍ଡେସନ୍’ ରାହୁଲ କନାଲ ଓ ହୁସେନ୍ ମନସୁରୀଙ୍କ ସହ ମିଶି ମୁମ୍ବାଇର ସେହି ପରିଶ୍ରମୀ ଲୋକଙ୍କୁ ସହାୟତା କରିବାର ପଦକ୍ଷେପ ନେଇଛି, ଯେଉଁମାନେ ଦିନରାତି ପରିଶ୍ରମ କରି ଏହି ସହରକୁ ଚଳଚଞ୍ଚଳ ରଖୁଛନ୍ତି।
ଏହି ଅଭିଯାନ ଅଧୀନରେ ଅନେକ ଆବଶ୍ୟକତା ଥିବା ଡେଲିଭରି ଏଜେଣ୍ଟ୍ ଓ କର୍ମଚାରୀଙ୍କୁ ମାଗଣାରେ ଇଲେକ୍ଟ୍ରିକ୍ ବାଇକ୍ ବଣ୍ଟନ କରାଯାଉଛି। ଏହାପୂର୍ବରୁ ହୁସେନ୍ ମନସୁରୀ ଆସାମର ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ରାସନ୍ ଓ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରି ଚର୍ଚ୍ଚାକୁ ଆସିଥିଲେ।
୪ କୋଟିରୁ ଅଧିକ ଲୋକ ଦେଖିଲେ ଏହି ଭାବପ୍ରବଣ ଦୃଶ୍ୟ
ଏହି ଭାବପ୍ରବଣ ଭିଡିଓ ସୋସିଆଲ୍ ମିଡିଆରେ ଆସିବା ପରଠାରୁ ଚର୍ଚ୍ଚାରେ ରହିଛି। ଏପର୍ଯ୍ୟନ୍ତ ଏହାକୁ ୪.୬ କୋଟିରୁ ଅଧିକ ଥର ଦେଖାଯାଇଛି। କମେଣ୍ଟ୍ ସେକ୍ସନ୍ରେ ଲୋକେ ଅନନ୍ତ ଅମ୍ବାନୀ, ହୁସେନ୍ ମନସୁରୀ ଓ ତାଙ୍କ ଟିମ୍ର ଉଦାରତାକୁ ଖୁବ୍ ପ୍ରଶଂସା କରୁଛନ୍ତି।
ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କ କହିବା ଅନୁଯାୟୀ, ଜଣେ ଅସହାୟ ଲୋକଙ୍କ ମୁହଁରେ ଏପରି ପ୍ରକୃତ ଖୁସି ଆଣିଦେବା ହିଁ ସବୁଠାରୁ ବଡ଼ ପୁଣ୍ୟ କାମ।

1 hour ago
2


