ARTICLE AD BOX
ଅଧର୍ମ ଉପରେ ଧର୍ମର ବିଜୟ। ଅନ୍ୟାୟ ଉପରେ ନ୍ୟାୟର ବିଜୟ ଏବଂ ଅନ୍ଧକାର ଉପରେ ଆଲୋକର ବିଜୟର ପ୍ରତୀକ ହେଉଛି ବିଜୟା ଦଶମୀ। ଏହା କେବଳ ଏକ ପର୍ବ ନୁହେଁ, ଏହା ଆସ୍ଥା, ଆଧ୍ୟାତ୍ମିକତା, ନାରୀଶକ୍ତି ଓ ମାନବୀୟ ମୂଲ୍ୟବୋଧର ଏକ ମହାନ ଉତ୍ସବ। ମା’ ଦୁର୍ଗାଙ୍କ ଆରାଧନାରେ ମୁଖରିତ ହୋଇଉଠେ ଦେବୀପୀଠ ଠାରୁ ପୂଜାମଣ୍ଡପ ପର୍ଯ୍ୟନ୍ତ ସମଗ୍ର ପରିବେଶ।
ହିନ୍ଦୁ ଧର୍ମର ପରମ୍ପରା ଓ ପୁରାଣ ଅନୁସାରେ, ମହିଷାସୁର ନାମକ ଅସୁରର ଅତ୍ୟାଚାରରେ ଦେବତା ଓ ମର୍ତ୍ତ୍ୟଲୋକବାସୀ ଅତିଷ୍ଠ ହୋଇପଡ଼ିଥିଲେ। ତା’ର ଅହଂକାର ଓ ଅତ୍ୟାଚାରରେ ଧର୍ମ ଓ ନ୍ୟାୟ ବିପନ୍ନ ହୋଇଥିଲା। ଏହି ସମୟରେ ଦେବତାମାନଙ୍କ ଶକ୍ତିର ସମାହାରରୁ ଆବିର୍ଭାବ ହୋଇଥିଲେ ଆଦିଶକ୍ତି ମା’ ଦୁର୍ଗା। ଦେବତାମାନଙ୍କଠାରୁ ବିଭିନ୍ନ ଅସ୍ତ୍ର ଧାରଣ କରି ଦଶଭୁଜା ମା’ ଦୁର୍ଗା ମହିଷାସୁର ସହ ଘୋର ଯୁଦ୍ଧ କରିଥିଲେ। ଶେଷରେ ତା’କୁ ବଧ କରି ଧର୍ମର ପ୍ରତିଷ୍ଠା କରିଥିଲେ। ଏହି ବିଜୟ ହେଉଛି ନାରୀଶକ୍ତିର ଅପାର ସାମର୍ଥ୍ୟ, ସାହସ ଓ ନ୍ୟାୟର ପ୍ରତୀକ। ମା’ ଦୁର୍ଗା କେବଳ ଏକ ଦେବୀସ୍ୱରୂପ ନୁହନ୍ତି, ସେ ଶକ୍ତି, ସାହସ, କରୁଣା, ମମତା ଓ ସୁରକ୍ଷାର ଜୀବନ୍ତ ପ୍ରତୀକ। ତାଙ୍କର ପ୍ରତ୍ୟେକ ରୂପ ଭକ୍ତଙ୍କୁ ଭିନ୍ନ ଭିନ୍ନ ଆଧ୍ୟାତ୍ମିକ ବାର୍ତ୍ତା ପ୍ରଦାନ କରେ।
କାହିଁକି ପାଳନ କରାଯାଏ ବିଜୟା ଦଶମୀ?
ବିଜୟା ଦଶମୀ ନବରାତ୍ରୀର ଦଶମ ଦିନରେ ପାଳନ କରାଯାଏ। ଏହା ମା’ ଦୁର୍ଗାଙ୍କ ମହିଷାସୁର ବଧ ଓ ଦୈବୀଶକ୍ତିର ବିଜୟକୁ ସ୍ମରଣ କରାଏ। ଏହି ଦିନକୁ ଦଶହରା ନାମରେ ମଧ୍ୟ ଜଣାଯାଏ। ଭାରତର ବିଭିନ୍ନ ଅଞ୍ଚଳରେ ଏହାର ପାଳନ ପରମ୍ପରା ଭିନ୍ନ ହୋଇଥିଲେ ମଧ୍ୟ ମୂଳ ସନ୍ଦେଶ ଗୋଟିଏ ତାହା ହେଉଛି ଅସତ୍ୟ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଶେଷରେ ସତ୍ୟର ହିଁ ବିଜୟ ହୁଏ।
କଳାକାରଙ୍କ ସୃଜନଶୀଳତାର ପରିଚୟ
ଓଡ଼ିଶାରେ ଦୁର୍ଗାପୂଜା କେବଳ ଧାର୍ମିକ ଆୟୋଜନ ନୁହେଁ, ଏହା ରାଜ୍ୟର କଳା, ସଂସ୍କୃତି, ପରମ୍ପରା ଓ ସାମୂହିକ ଭାବନାର ଏକ ଅବିଚ୍ଛିନ୍ନ ଅଂଶ। କଟକର ଆକର୍ଷଣୀୟ ରୂପା ଓ ସୁନା ଚାନ୍ଦିମେଢ଼, ଭୁବନେଶ୍ୱରର ଆକର୍ଷଣୀୟ ପୂଜାମଣ୍ଡପ ଏବଂ ବିଭିନ୍ନ ସହର ଓ ଗାଁରେ ଆୟୋଜିତ ଦୁର୍ଗାପୂଜା ଉତ୍ସବ ଭକ୍ତି ସହିତ ଓଡ଼ିଆ କଳାକାରଙ୍କ ସୃଜନଶୀଳତାର ପରିଚୟ ଦିଏ।
ବିଜୟା ଦଶମୀ ଦିନ ଦେବୀଙ୍କ ପାଖରେ ବିଶେଷ ପୂଜାର୍ଚ୍ଚନା, ଆରତି, ହୋମଯଜ୍ଞ ଓ ଅନ୍ୟାନ୍ୟ ରୀତିନୀତି ପାଳନ କରାଯାଏ। ପରମ୍ପରା ଅନୁଯାୟୀ, ମା’ଙ୍କୁ ଅପରାଜିତା ରୂପରେ ମଧ୍ୟ ଆରାଧନା କରାଯାଏ। ଭକ୍ତମାନେ ମା’ଙ୍କଠାରୁ ସୁଖ, ଶାନ୍ତି, ସମୃଦ୍ଧି ଓ ପରିବାରର ମଙ୍ଗଳ କାମନା କରନ୍ତି। ଏହି ଦିନ ଅନେକ ସ୍ଥାନରେ ସିନ୍ଦୂର ଖେଳା, ଦେବୀଙ୍କୁ ବିଦାୟ ଦେବାର ପରମ୍ପରା ଏବଂ ମୂର୍ତ୍ତି ବିସର୍ଜନ ଆୟୋଜିତ ହୁଏ।
Shardiya Navratri: ନବରାତ୍ରୀର ୯ମ ଦିନ: ମା' ସିଦ୍ଧିଦାତ୍ରୀ
ବିଜୟା ଦଶମୀ ଆମକୁ କେବଳ ଦେବୀଙ୍କ ବିଜୟ କାହାଣୀ ଶୁଣାଏ ନାହିଁ, ଏହା ନିଜ ଜୀବନରେ ଥିବା ଅସୁର ପ୍ରବୃତ୍ତିକୁ ଚିହ୍ନିବା ପାଇଁ ମଧ୍ୟ ଶିକ୍ଷା ଦିଏ। ଅହଂକାର, କ୍ରୋଧ, ଲୋଭ, ଅନ୍ୟାୟ, ନାରୀଙ୍କ ପ୍ରତି ଅସମ୍ମାନ ଓ ହିଂସା ହେଉଛି ସମାଜର ଏପରି ଶତ୍ରୁ, ଯାହାକୁ ପରାସ୍ତ କରିବା ଆଜିର ସମାଜ ପାଇଁ ଅତ୍ୟନ୍ତ ଆବଶ୍ୟକ।

1 hour ago
1


