ARTICLE AD BOX
ବେଙ୍ଗାଲୁରୁ: ଦୀପାବଳି ପରେ ବେଙ୍ଗାଲୁରୁରେ ବାଣ ଫୁଟାଇବା ଯୋଗୁଁ ଆଖିରେ ଆଘାତ ଲାଗିବାର ଅନେକ ମାମଲା ସାମ୍ନାକୁ ଆସିଛି। ଏଥିମଧ୍ୟରୁ ସର୍ବାଧିକ ମାମଲା ମିଣ୍ଟୋ ଚକ୍ଷୁ ଚିକିତ୍ସାଳୟ ଓ ନାରାୟଣ ନେତ୍ରାଳୟରେ ଦେଖିବାକୁ ମିଳିଛି। ଏହି ଦୁଇ ହସ୍ପିଟାଲରେ ବାଣ ଯୋଗୁଁ ଆଖିରେ ଆଘାତ ପାଇଥିବା ଅତି କମ୍ରେ ୭୪ ଜଣଙ୍କ ଚିକିତ୍ସା କରାଯାଇଛି।
ଆହତଙ୍କ ମଧ୍ୟରେ ଶିଶୁଙ୍କ ସହ ବାଣ ଫୁଟାଇବା ସମୟରେ ନିକଟରେ ଠିଆ ହୋଇଥିବା ଲୋକ ମଧ୍ୟ ଅଛନ୍ତି। ମିଣ୍ଟୋ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ନଭେମ୍ବର ୬ରୁ ୯ ତାରିଖ ମଧ୍ୟରେ ବାଣ ଯୋଗୁଁ ଆଖିରେ ଆଘାତ ପାଇଥିବା ୨୮ ଜଣଙ୍କ ଚିକିତ୍ସା କରାଯାଇଛି। ଏଥିରେ ୧୦ ଜଣ ଶିଶୁ ଓ ୧୮ ଜଣ ବୟସ୍କ ଅଛନ୍ତି। ୨୮ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କୁ ସାମାନ୍ୟ ଆଘାତ ଲାଗିଥିବା ବେଳେ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି।
ବେଙ୍ଗାଲୁରୁ ବାହାରୁ ମଧ୍ୟ ଆସିଥିଲେ ଆହତ
ହସ୍ପିଟାଲର ସୂଚନା ଅନୁସାରେ, ଏହି ୨୮ ଜଣଙ୍କ ମଧ୍ୟରୁ ୧୨ ଜଣ ନିଜେ ବାଣ ଫୁଟାଇବା ସମୟରେ ଆହତ ହୋଇଥିଲେ। ଅନ୍ୟ ୧୬ ଜଣ ବାଣ ଫୁଟାଇବା ସମୟରେ ପାଖରେ ଠିଆ ହୋଇଥିବାରୁ ଆଘାତ ପାଇଥିଲେ। ଚିକିତ୍ସା କରାଇଥିବା ରୋଗୀଙ୍କ ମଧ୍ୟରୁ ୨୫ ଜଣ ବେଙ୍ଗାଲୁରୁର ହୋଇଥିବା ବେଳେ ଡୋଡ୍ଡାବଲ୍ଲାପୁର, ମହୀଶୂର ଓ ରାୟଚୁରରୁ ଜଣେ ଲେଖାଏଁ ଆସିଥିଲେ।
ସେହିପରି ରାଜାଜୀନଗରସ୍ଥିତ ନାରାୟଣ ନେତ୍ରାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ନଭେମ୍ବର ୭ରୁ ୧୦ ତାରିଖ ସକାଳ ୧୧ଟା ପର୍ଯ୍ୟନ୍ତ ବାଣ ଯୋଗୁଁ ଆଖିରେ ଆଘାତ ପାଇଥିବା ୪୬ ଜଣଙ୍କ ଚିକିତ୍ସା କରାଯାଇଛି। ଏଥିରେ ୨୫ ଜଣ ଶିଶୁ ଅଛନ୍ତି। ଆହତଙ୍କ ମଧ୍ୟରେ ୩୩ ଜଣ ପୁରୁଷ ଓ ୧୩ ଜଣ ମହିଳା ଅଛନ୍ତି। ଏମାନଙ୍କ ମଧ୍ୟରୁ ୧୬ ଜଣ ବାଣ ଫୁଟାଇବା ସମୟରେ ପାଖରେ ଠିଆ ହୋଇଥିବାରୁ ଆହତ ହୋଇଥିବା ବେଳେ ୩୦ ଜଣ ନିଜେ ବାଣ ଫୁଟାଉଥିବା ସମୟରେ ଆଘାତ ପାଇଥିଲେ।
ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ, ୪୪ ଜଣ ରୋଗୀଙ୍କୁ ଔଷଧ ମାଧ୍ୟମରେ ଚିକିତ୍ସା କରାଯାଇଛି। ଜଣେ ରୋଗୀଙ୍କ ଆଖିର କର୍ଣ୍ଣିଆରେ ଆଘାତ ଲାଗିଥିବାରୁ ଅସ୍ତ୍ରୋପଚାର କରାଯାଇଛି। ଅନ୍ୟ ଜଣେ ରୋଗୀଙ୍କୁ ମଧ୍ୟ କର୍ଣ୍ଣିଆର ଆଘାତ ଠିକ୍ କରିବା ପାଇଁ ଅସ୍ତ୍ରୋପଚାର କରାଇବାକୁ ପରାମର୍ଶ ଦିଆଯାଇଛି।
ନାରାୟଣ ନେତ୍ରାଳୟର ନିର୍ଦ୍ଦେଶକ ଡାକ୍ତର ନରେନ୍ ସେଟ୍ଟୀ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଯେ, ପିଲାମାନଙ୍କୁ ଏକୁଟିଆ ବାଣ ଫୁଟାଇବାକୁ ଦିଅନ୍ତୁ ନାହିଁ ଏବଂ ସେମାନଙ୍କୁ ବାଣଠାରୁ ସୁରକ୍ଷିତ ଦୂରତାରେ ରଖନ୍ତୁ। ବାଣ ଫୁଟାଇବା ସମୟରେ ଆଖିର ସୁରକ୍ଷା ପାଇଁ ସୁରକ୍ଷା ଚଷମା ପିନ୍ଧିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ନାରାୟଣ ନେତ୍ରାଳୟର କର୍ଣ୍ଣିଆ ବିଭାଗର ମୁଖ୍ୟ ତଥା ପରାମର୍ଶଦାତା ଡାକ୍ତର ଯତୀଶ ଏସ୍ କହିଛନ୍ତି ଯେ, ଅଧିକାଂଶ ରୋଗୀଙ୍କୁ ଓପିଡିରେ ଔଷଧ ଦ୍ୱାରା ଚିକିତ୍ସା କରାଯାଇଛି। ତେବେ ଜଣେ ରୋଗୀଙ୍କ ଅସ୍ତ୍ରୋପଚାର କରିବାକୁ ପଡ଼ିଛି। ସଚେତନତା ସୃଷ୍ଟି ପାଇଁ ଉଦ୍ୟମ ସତ୍ତ୍ୱେ ବାଣ ଯୋଗୁଁ ଆଖିରେ ଆଘାତ ଲାଗିବା ମାମଲା ଲଗାତାର ସାମ୍ନାକୁ ଆସୁଛି ବୋଲି ସେ କହିଛନ୍ତି।
ମଧୁବାବୁ ପେନ୍ସନ ଯୋଜନା: ଡିସେମ୍ବରରୁ ପ୍ରତିମାସ ୧୫ ତାରିଖରେ ନିୟମିତ ଭତ୍ତା

2 days ago
3


