ARTICLE AD BOX
ବେଙ୍ଗାଲୁରୁ: ବେଙ୍ଗାଲୁରୁର ବହୁ ପ୍ରତିଷ୍ଠିତ ୩-ତାରକା ଓ ୫-ତାରକା ହୋଟେଲଗୁଡ଼ିକରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କରାଯାଇଥିବା ସ୍ୱତନ୍ତ୍ର ଚଢ଼ାଉ ବେଳେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିଛି। ୩୦ଟି ଟିମ୍ ବେଙ୍ଗାଲୁରୁ ମହାନଗର ନିଗମ ଅଞ୍ଚଳରେ ଥିବା ୨୬ଟି ଆଭିଜାତ୍ୟପୂର୍ଣ୍ଣ ହୋଟେଲରେ ଚଢ଼ାଉ କରି ରୋଷେଇ ଘର ଓ ଷ୍ଟୋର୍ ରୁମରେ ଅସ୍ୱାସ୍ଥ୍ୟକର ପରିବେଶ, ପଚାସଢ଼ା ଓ ଫିମ୍ପି ଲାଗିଥିବା ପନିପରିବା, ଏକ୍ସପାୟାରୀ କ୍ଷୀର ଏବଂ ନିମ୍ନମାନର ମାଂସ ରଖାଯାଇଥିବା ନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କେତେକ ହୋଟେଲରେ ଆମିଷ ଓ ନିରାମିଷ ଖାଦ୍ୟ ଏକାଠି ରଖାଯାଇଥିବା ବେଳେ ‘ଏଫଏସଏସଏଆଇ’ ନିୟମାବଳୀର ଉଲ୍ଲଂଘନ ଏବଂ ଭୁଲ୍ ଲେବଲିଂ ମଧ୍ୟ ଧରାପଡ଼ିଛି।
ଆହୁରି ପଢ଼ନ୍ତୁ: ରାହାମାରେ ସେକ୍ସ ରାକେଟ, ଧରାପଡ଼ିଲେ ୪ ମହିଳା ଓ ଜଣେ ଯୁବକ
ଚଢ଼ାଉ ସମୟରେ ‘ଦି ଲଳିତ ଅଶୋକ’ରୁ ୭୬ କିଲୋ ମାଂସ, ୨୦୦ କିଲୋ ପରିବା ଏବଂ ୩୨ ଲିଟର ମିଆଦପୂର୍ଣ୍ଣ କ୍ଷୀର ଜବତ କରାଯାଇ ନଷ୍ଟ କରାଯାଇଛି। ସେହିପରି ‘ଶାଙ୍ଗ୍ରି-ଲା’ରୁ ୧୫ କିଲୋ ମାଂସ, ‘ଫୋର୍ ସିଜନ୍ସ’ରୁ ୧୯ କିଲୋ ମାଂସ, ‘ଭିଭାନ୍ତା ୱାଇଟଫିଲ୍ଡ’ରୁ ୩ କିଲୋ ମିଆଦପୂର୍ଣ୍ଣ ବେକରୀ ସାମଗ୍ରୀ ଏବଂ ‘ତାଜ୍ ୟଶବନ୍ତପୁର’ରୁ ୭୨ କିଲୋ ମାଂସ ଜବତ ହୋଇଛି। ସବୁଠାରୁ ଅଧିକ ଜବତ ‘ରାଡିସନ ବ୍ଲୁ’ରୁ ହୋଇଛି, ଯେଉଁଠାରୁ ୫୦ କିଲୋ କୁକୁଡ଼ା ମାଂସ, ୨୩ କିଲୋ ମାଂସ, ୭ କିଲୋ ମାଛ ଏବଂ ୨୫ କିଲୋ ପରିବା ସହ ମୋଟ ୧୦୫ କିଲୋ ମିଆଦପୂର୍ଣ୍ଣ ଖାଦ୍ୟସାମଗ୍ରୀ ଜବତ କରାଯାଇଛି। ବିଭାଗ ପକ୍ଷରୁ ମୋଟ ୩୫ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇ ଲ୍ୟାବକୁ ପରୀକ୍ଷା ପାଇଁ ପଠାଯାଇଛି ଏବଂ ସମ୍ପୃକ୍ତ ହୋଟେଲଗୁଡ଼ିକୁ ନୋଟିସ୍ ଜାରି କରାଯାଇଛି। ଲ୍ୟାବ୍ ରିପୋର୍ଟ ଆସିବା ପରେ ନିୟମାନୁସାରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଆହୁରି ପଢ଼ନ୍ତୁ: ବରିଷ୍ଠ ଅଭିନେତା ଏବଂ ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଅସ୍ତ୍ରୋପଚାର ସଫଳ
ଅଧିକ ଦେଖନ୍ତୁ:

1 hour ago
1


