ARTICLE AD BOX
ନୂଆଦିଲ୍ଲୀ: ଚଳିତମାସ ୨୮ ତାରିଖରୁ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ଏଭଳି ସ୍ଥିତିରେ ବ୍ୟାଙ୍କ ସେବାକୁ ଯଥା ସମ୍ଭବ ଜାରି ରଖିବା ଲାଗି କି ପ୍ରକାର ପଦକ୍ଷେପ ନିଆଯାଇଛି ସେ ସଂପର୍କରେ ଆଲୋଚନା ପାଇଁ ଅର୍ଥ ମନ୍ତ୍ରାଳୟ ବିଭିନ୍ନ ବ୍ୟାଙ୍କର ମୁଖ୍ୟମାନଙ୍କର ଏକ ବୈଠକ ଆସନ୍ତା ସୋମବାର ଡାକିଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ, ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ୍ (ଆଇବିଏ) ଓ ନାବାର୍ଡର ମୁଖ୍ୟମାନେ ଏଥିରେ ଯୋଗଦେବେ। ଆର୍ଥିକ ସେବା ବିଭାଗ ସଚିବ ଏହି ବୈଠକରେ ଅଧ୍ୟକ୍ଷତା କରିବେ।
ଦାବି ପୂରଣ ପାଇଁ ୭ଟି ବ୍ୟାଙ୍କ ସଂଘଙ୍କ ଧର୍ମଘଟ
ଉଲ୍ଲେଖଯୋଗ୍ୟ, ବିଭିନ୍ନ ଦାବି ପୂରଣ ପାଇଁ ୟୁଏଫ୍ବିୟୁ ବ୍ୟାନରରେ ୭ଟି ବ୍ୟାଙ୍କ ସଂଘ ଧର୍ମଘଟକୁ ଓହ୍ଲାଇବା ନେଇ ଡାକରା ଦେଇଛନ୍ତି। ବିଶେଷକରି ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ସେମାନଙ୍କର ଏକ ପ୍ରମୁଖ ଦାବି। ଚଳିତମାସ ୧୧ ତାରିଖରେ ସେମାନେ ଦିନିକିଆ ଦେଶବ୍ୟାପୀ ଧର୍ମଘଟ କରିଥିଲେ। ଏଥିରେ ବ୍ୟାଙ୍କିଂ ସେବା ପ୍ରଭାବିତ ହୋଇଥିଲା। ୩ ଦିନିଆ ଧର୍ମଘଟ ହେଲେ ୫ ଦିନ ପାଇଁ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହେବ। କାରଣ ୨୬ ତାରିଖ ଚତୁର୍ଥ ଶନିବାର ଓ ୨୭ ତାରିଖ ରବିବାର ପାଇଁ ବ୍ୟାଙ୍କ ଛୁଟି ରହିବ।

1 week ago
5


