ARTICLE AD BOX
ନୂଆଦିଲ୍ଲୀ: ପ୍ରାୟ ୫୫ ବର୍ଷ ପୂର୍ବେ ଯେଉଁ ବାଂଲାଦେଶକୁ ପାକିସ୍ତାନ କବଳରୁ ମୁକ୍ତ କରିବା ପାଇଁ ଶେଖ୍ ମୁଜିବୁର ରହମାନ ରାଜନୈତିକ ସଂଗ୍ରାମର ନେତୃତ୍ୱ ନେଇଥିଲେ, ଆଜି ସେହି ଦେଶ ଭାରତର ପୂର୍ବ ପ୍ରାନ୍ତରେ ଏକ ‘ଦ୍ୱିତୀୟ ପାକିସ୍ତାନ’ରେ ପରିଣତ ହେବାକୁ ଯାଉଛି ବୋଲି ମୁଜିବୁରଙ୍କ ନାତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପୁତ୍ର ସଜୀବ ୱାଜେଦ୍ ଜୟ ଚେତାବନୀ ଦେଇଛନ୍ତି।
ନୂଆଦିଲ୍ଲୀର ‘ଫରେନ୍ କରେସ୍ପଣ୍ଡେଣ୍ଟସ୍ କ୍ଲବ୍’ (ଏଫସିସି) ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆମେରିକାର ମେରିଲ୍ୟାଣ୍ଡରୁ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ବାଂଲାଦେଶର ବର୍ତ୍ତମାନର ସ୍ଥିତି ଉପରେ ସେ ସାଂଘାତିକ ତଥ୍ୟ ରଖିଛନ୍ତି। ବାଂଲାଦେଶ ଏବେ ଏକ ସମ୍ପୂର୍ଣ୍ଣ ‘ବିଫଳ ରାଷ୍ଟ୍ର’ରେ ପରିଣତ ହୋଇଛି, ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଏବଂ ୨୦୨୪ ଅଗଷ୍ଟରୁ ଦେଶରେ ରାଜନୈତିକ ହତ୍ୟାକାଣ୍ଡକୁ ବୈଧ କରାଯାଇଛି ବୋଲି ସେ ଦାବି କରିଛନ୍ତି।
ଭାରତ ପାଇଁ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି, ପୂର୍ବ ସୀମାନ୍ତରେ ଏକ ନୂତନ ସୁରକ୍ଷା ପ୍ରତିବନ୍ଧକ ସୃଷ୍ଟି ହୋଇଛି, ଯେଉଁଠାରେ ପାକିସ୍ତାନର ଗୁପ୍ତଚର ସଂସ୍ଥା ‘ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ’ (ଆଇଏସ୍ଆଇ) ସମେତ ବିଦେଶୀ ଗୁପ୍ତଚର ସଂସ୍ଥାଗୁଡ଼ିକ ସମ୍ପୂର୍ଣ୍ଣ ମୁକ୍ତ ଭାବେ କାର୍ଯ୍ୟ କରୁଛନ୍ତି। ଢାକା ଓ ଇସଲାମାବାଦ ମଧ୍ୟରେ ସମ୍ପର୍କର ଏକ ବଡ଼ ପରିବର୍ତ୍ତନ ଘଟିଛି, ଯାହା ଭାରତ ପାଇଁ ଗୁରୁତର ଆହ୍ୱାନ ସୃଷ୍ଟି କରିବ। ଆୱାମୀ ଲିଗ୍ ସରକାର ସମୟରେ ଗିରଫ ହୋଇ ଦଣ୍ଡାଦେଶ ପାଇଥିବା ଅନେକ ଚରମପନ୍ଥୀ ଓ ସନ୍ତ୍ରାସବାଦୀଙ୍କୁ ବର୍ତ୍ତମାନର ପ୍ରଶାସନ ମୁକ୍ତ କରିଦେଇଛି ବୋଲି ସଜୀବ ୱାଜେଦ୍ ଜୟ ଅଭିଯୋଗ କରିଛନ୍ତି। ଏହି କାରଣରୁ ନିଷିଦ୍ଧ ସଂଗଠନ ‘ହିଜବୁତ୍ ତହରିର’ ବର୍ତ୍ତମାନ ବାଂଲାଦେଶରେ ଖୋଲାଖୋଲି ଭାବେ ଶୋଭାଯାତ୍ରା କରୁଛି ଏବଂ ‘ଆଲ୍କାଏଦା’ର ସଦସ୍ୟ ଭାବେ ଚିହ୍ନଟ ବ୍ୟକ୍ତିମାନେ ସାଧାରଣ ସଭାରେ ଭାଷଣ ଦେଉଛନ୍ତି। ଯଦି ଏହି ଗତିବିଧିକୁ ତୁରନ୍ତ ରୋକା ନଯାଏ, ତେବେ ବାଂଲାଦେଶ ଆଗାମୀ ଦିନରେ ଆନ୍ତର୍ଜାତୀୟ ଆତଙ୍କବାଦୀ ନିଯୁକ୍ତି ଓ ସନ୍ତ୍ରାସବାଦୀ କାର୍ଯ୍ୟକଳାପର ଏକ ପ୍ରମୁଖ କେନ୍ଦ୍ରସ୍ଥଳ ପାଲଟିବ, ଯାହାର ସୁରକ୍ଷା ପ୍ରଭାବ କେବଳ ଭାରତ ଉପରେ ନୁହେଁ, ବରଂ ସମଗ୍ର ବିଶ୍ୱ ଉପରେ ପଡ଼ିବ।
J-10CE fighter jets: ବାଂଲାଦେଶକୁ ‘ଜେ-୧୦ସିଇ’ ଯୁଦ୍ଧବିମାନ ଯୋଗାଇବ ବେଜିଂ, ସିଲିଗୁଡ଼ି କରିଡର ପ୍ରତି ବିପଦ
ଏହି ସମ୍ମିଳନୀରେ ଶେଖ୍ ହସିନା ମଧ୍ୟ ଭର୍ଚୁଆଲ ମାଧ୍ୟମରେ ନିଜର ଦୁଇ ବର୍ଷର ନୀରବତା ଭାଙ୍ଗି ଭାବୁକ ହୋଇ କହିଛନ୍ତି ଯେ, ମିଥ୍ୟା ମାମଲା ଆଧାରରେ ତାଙ୍କୁ ଗିରଫ କରାଗଲେ କିମ୍ବା ଜେଲ୍ ପଠାଗଲେ ମଧ୍ୟ ସେ ଜନସାଧାରଣଙ୍କ ପ୍ରତି ଥିବା ନିଜର କର୍ତ୍ତବ୍ୟରୁ ଓହରିବେ ନାହିଁ ଏବଂ ଆଗାମୀ ଡିସେମ୍ବର ମାସରେ ସେ ବାଂଲାଦେଶ ଫେରିବେ।
ଅନ୍ୟପକ୍ଷରେ, ଶେଖ୍ ହସିନାଙ୍କର ଏହି ଭର୍ଚୁଆଲ କାର୍ଯ୍ୟକ୍ରମକୁ ନେଇ ବାଂଲାଦେଶ ସରକାର ତୀବ୍ର ଆପତ୍ତି ପ୍ରକାଶ କରିବା ସହ ଭାରତ ନିକଟରେ କଡ଼ା ପ୍ରତିବାଦ ଜଣାଇଛନ୍ତି। ଏହି ପ୍ରସଙ୍ଗରେ ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ଏହି ସାମ୍ବାଦିକ ସମ୍ମିଳନୀ ଏକ ବେସରକାରୀ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଆୟୋଜିତ ହୋଇଥିଲା ଏବଂ ଏଥି ସହିତ ଭାରତ ସରକାରଙ୍କର କୌଣସି ସମ୍ପୃକ୍ତି ନାହିଁ କିମ୍ବା ସେଠାରେ ବ୍ୟକ୍ତ କରାଯାଇଥିବା କୌଣସି ମତକୁ ସରକାର ସମର୍ଥନ କରନ୍ତି ନାହିଁ। ତେବେ ସଜୀବ ୱାଜେଦ୍ ଜୟଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବୈଦେଶିକ ମନ୍ତ୍ରଣାଳୟ ପ୍ରକାଶ କରିଛି ଯେ, ଭାରତ ସରକାର ସମ୍ପୂର୍ଣ୍ଣ ସତର୍କ ଅଛନ୍ତି ଏବଂ ସୁରକ୍ଷା ଦୃଷ୍ଟିକୋଣରୁ ପଡ଼ୋଶୀ ଦେଶରେ ଘଟୁଥିବା ସମସ୍ତ ଆଞ୍ଚଳିକ ଘଟଣାବଳୀ ଉପରେ କ୍ରମାଗତ ଭାବେ କଡ଼ା ନଜର ରଖାଯାଇଛି।

6 days ago
3


