ARTICLE AD BOX
ଧାର୍ମିକ ବିଶ୍ୱାସରେ ବଦ୍ରିନାଥ ଧାମର ତପ୍ତ କୁଣ୍ଡରେ ସ୍ନାନ କରୁଥିବା ଭକ୍ତଙ୍କ ପାଇଁ ଏବେ ସତର୍କତାର ଆବଶ୍ୟକତା ଦେଖାଦେଇଛି। ନିକଟରେ ତପ୍ତ କୁଣ୍ଡରେ ସ୍ନାନ କରିବା ପରେ ଦୁଇ ବୟସ୍କା ଭଉଣୀଙ୍କ ମୃତ୍ୟୁ ଘଟଣା ଗରମ ପାଣିରେ ଦୀର୍ଘ ସମୟ ରହିବାର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛି। ବିଶେଷଜ୍ଞଙ୍କ ମତରେ, ଅତ୍ୟଧିକ ଗରମ ପାଣିରେ ଦୀର୍ଘ ସମୟ ରହିବା ଦ୍ୱାରା ରକ୍ତଚାପ କମିବା, ଡିହାଇଡ୍ରେସନ୍, ମୁଣ୍ଡ ବୁଲାଇବା ଏବଂ ହୃଦୟ ଉପରେ ଅତିରିକ୍ତ ଚାପ ଭଳି ସମସ୍ୟା ଦେଖାଦେଇଥାଏ।
ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ୧୧ ସକାଳେ ରାଜସ୍ଥାନର ଦୁଇ ଭଉଣୀ ବଦ୍ରିନାଥ ମନ୍ଦିର ନିକଟସ୍ଥ ତପ୍ତ କୁଣ୍ଡରେ ସ୍ନାନ କରୁଥିଲେ। ମୃତ ଦୁଇ ମହିଳାଙ୍କ ମଧ୍ୟରୁ ଜଣଙ୍କ ବୟସ ୭୧ ବର୍ଷ ଏବଂ ଅନ୍ୟଜଣଙ୍କ ବୟସ ୬୩ ବର୍ଷ ବୋଲି ଜଣାପଡ଼ିଛି। ଧାର୍ମିକ ବିଶ୍ୱାସରେ ସେମାନେ ତପ୍ତ କୁଣ୍ଡରେ ୧୦୮ ଥର ବୁଡ଼ ପକାଇଥିଲେ ତା'ପରେ ତାଙ୍କର ମୃତ୍ୟୁ ହାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ଗରମ ପାଣିରେ ଅଧିକ ସମୟ ରହିବା ବିପଦ
ବଦ୍ରିନାଥ ମନ୍ଦିରକୁ ଯିବା ପୂର୍ବରୁ ତପ୍ତ କୁଣ୍ଡରେ ସ୍ନାନ କରିବାର ଧାର୍ମିକ ପରମ୍ପରା ରହିଛି। ତେବେ ଏହି ଗରମ ପାଣିରେ ଦୀର୍ଘ ସମୟ ରହିବା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ। ରିପୋର୍ଟ ଅନୁସାରେ, ତପ୍ତ କୁଣ୍ଡର ପାଣିର ତାପମାତ୍ରା ପ୍ରାୟ ୪୫ରୁ ୫୫ ଡିଗ୍ରି ସେଲସିୟସ୍ ମଧ୍ୟରେ ରହିଥାଏ। ଏପରି ଗରମ ପାଣିରେ ରହିଲେ ଶରୀରର ରକ୍ତବାହୀ ନଳୀ ପ୍ରଶସ୍ତ ହୋଇ ରକ୍ତଚାପ କମିପାରେ। ଏହା ସହ ଶରୀରକୁ ଆରାମ ମିଳିଥାଏ। ତେବେ ଗରମ ପାଣିରେ ଅଧିକ ସମୟ ରହିବା ଦ୍ୱାରା ଶରୀରରେ ଅତ୍ୟଧିକ ତାପ ବୃଦ୍ଧି, ଡିହାଇଡ୍ରେସନ୍ ଓ ରକ୍ତଚାପ ହ୍ରାସ ଭଳି ସମସ୍ୟା ଦେଖାଦେଇପାରେ। ତେଣୁ ତପ୍ତ କୁଣ୍ଡରେ ୧୦ରୁ ୧୫ ମିନିଟ୍ରୁ ଅଧିକ ସମୟ ନ ରହିବାକୁ ପରାମର୍ଶ ଦିଆଯାଇଛି।
ହୃଦରୋଗୀ, ରକ୍ତଚାପ ନିୟନ୍ତ୍ରଣ ଔଷଧ ଖାଉଥିବା ବ୍ୟକ୍ତି, ବୟସ୍କ ଏବଂ ଜ୍ୱର କିମ୍ବା ଅସୁସ୍ଥତାରେ ଥିବା ବ୍ୟକ୍ତିମାନେ ଅତ୍ୟଧିକ ଗରମ ପାଣିରେ ସ୍ନାନ କରିବା ସମୟରେ ବିଶେଷ ସତର୍କ ରହିବା ଆବଶ୍ୟକ। ସ୍ନାନ ସମୟରେ ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା, ଅସ୍ୱାଭାବିକ ଥକ୍କାପଣ, ହୃଦସ୍ପନ୍ଦନ ବଢ଼ିବା କିମ୍ବା ନିଶ୍ୱାସ ନେବାରେ କଷ୍ଟ ହେଲେ ତୁରନ୍ତ ପାଣିରୁ ବାହାରି ଆସିବା ଉଚିତ। ପାଣି ପିଇ ବିଶ୍ରାମ ନେବା ସହ ଲକ୍ଷଣ ଜାରି ରହିଲେ ତୁରନ୍ତ ଡାକ୍ତରୀ ସହାୟତା ନେବା ଆବଶ୍ୟକ।

1 hour ago
1


