ARTICLE AD BOX
ଭୁବନେଶ୍ବର: ବିପର୍ଯ୍ୟୟ ପରିଚାଳନାକୁ ନେଇ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ସରକାରଙ୍କୁ ସଣ୍ଢୁଆଶି ଆକ୍ରମଣ ଜାରି ରଖିଛନ୍ତି। ଗଞ୍ଜାମରେ ବାତ୍ୟା ପରବର୍ତ୍ତୀ ବନ୍ୟାକୁ ମନୁଷ୍ୟକୃତ ବୋଲି ଆରୋପ ଲଗାଇଛନ୍ତି। ସରକାରୀ ଦଳ ଓ ପ୍ରଶାସନିକ ଅଧିକାରୀମାନେ ତାହାକୁ କାଉଣ୍ଟର କରୁଥିଲେ ବି ବିରୋଧୀ ନଛୋଡ଼ବନ୍ଧା। ବିଭିନ୍ନ ତଥ୍ୟ ଦେଇ ସରକାର ବିଫଳ ବୋଲି ଦର୍ଶାଉଛନ୍ତି। କୋଟିଆରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରାଇଛି। ଓଡ଼ିଶାରୁ ଭୋଟ ପ୍ରତିଶତ କମିଥିଲେ ମଧ୍ୟ ଅନେକ ଓଡ଼ିଆ ଭୋଟର ସେପଟେ ଭୋଟ ଦେଇଛନ୍ତି। ଆଗକୁ ବି ସେଠାରେ ସରପଞ୍ଚ ନିର୍ବାଚନ ଅଛି। ବିଜେଡି ଓ କଂଗ୍ରେସ କ୍ଷେତ୍ରସ୍ତରକୁ ଯାଇ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ଏହି ଦୁଇଟି ପ୍ରସଙ୍ଗ ଏବେ ରାଜ୍ୟରେ ସବୁଠାରୁ ଚର୍ଚ୍ଚିତ ବିଷୟ। ଏହାରି ଭିତରେ ୧୮ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ। ବାତ୍ୟା ଓ ବନ୍ୟା ପରିଚାଳନାରେ ତ୍ରୁଟି ଏବଂ କୋଟିଆ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ। ଯଦିଓ ମଙ୍ଗଳବାର ବିଧିବଦ୍ଧ ରଣନୀତି ପ୍ରସ୍ତୁତ ହେବ, ତେବେ ସରକାରଙ୍କ ସହ ଲଢ଼େଇ ମୁଡ୍ରେ ବିରୋଧୀ ଦଳ ଅଛନ୍ତି। ତେଣୁ ଗୃହକାର୍ଯ୍ୟ ସ୍ବାଭାବିକ ହେବାର ସମ୍ଭାବନା କମ୍।
କଳାକୃତି ଦେଇଛି ରୋଜଗାର: ବହୁ ମହିଳାଙ୍କୁ ଆତ୍ମନିର୍ଭରଶୀଳ କଲେଣି ମନୀଷା
ବିଧାନସଭାର ଗତ ମୌସୁମୀ ଅଧିବେଶନରେ ଗୋଟିଏ ଦିନ ବି ଗୃହ ସ୍ବାଭାବିକ ନଥିଲା। ଏମଏମଡିଆର୍ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ। ସେହି ସମୟରେ ବିଧାନସଭା ବାହାରେ ମଧ୍ୟ ଉଭୟ ଦଳ ପକ୍ଷରୁ ପୃଥକ ପୃଥକ ସମାବେଶ ଆୟୋଜନ କରାଯାଇଥିଲା। ଗୃହରେ କୌଣସି ପ୍ରସଙ୍ଗରେ ଆଲୋଚନା ହୋଇପାରି ନଥିଲା। ବରଂ ଦୁଇ ଦିନ ଆଗରୁ ଗୃହ ମୁଲତବୀ କରିଦିଆଯାଇଥିଲା। କୋଟିଆରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ଗତ ୫ ତାରିଖରେ ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ନିର୍ବାଚନ ହୋଇଥିଲା। ଏବେ ସେଠାରେ ସରପଞ୍ଚ ଓ ୱାର୍ଡମେମ୍ବର ନିର୍ବାଚନ ପାଇଁ ଆନ୍ଧ୍ର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଚାଲିଛି। ୧୬ ତାରିଖରେ ଏ ନେଇ ବିଜ୍ଞପ୍ତି ଜାରି ହେବ ଏବଂ ୨୯ ତାରିଖରେ ଭୋଟ ହେବ। ତେଣୁ ବିଧାନସଭା ଅଧିବେଶନରେ ବିରୋଧୀ ଦଳ ଏହି ପ୍ରସଙ୍ଗକୁ ଜୋର୍ଦାର ଉଠାଇବେ। କୋଟିଆରେ ଓଡ଼ିଆ ଅସ୍ମିତା ରକ୍ଷା କରିବାରେ ସରକାର ବିଫଳ ବୋଲି ଉଭୟ ଦଳ ଅଭିଯୋଗ ଆଣୁଛନ୍ତି। ସେହି ଆଧାରରେ ସରକାରଙ୍କୁ ଅଡ଼ୁଆରେ ପକାଇବେ। ଆନ୍ଧ୍ର ବିରୋଧରେ କେନ୍ଦ୍ରରେ ଓଡ଼ିଶା କାହିଁକି ଫେରାଦ ହେଉନି ବୋଲି ଜବାବ ମାଗିବେ। ଏହା ବାଦ୍ ଏମଏମଡିଆର୍ ପ୍ରସଙ୍ଗ ବି ପୁଣି ଗୃହରେ ଉଠିବ। ମହାନଦୀ ଜଳ ବିବାଦରେ ସରକାର ଛତିଶଗଡ଼ ସହ ଯେଉଁ ଆପୋସ ଆଲୋଚନା କରୁଛନ୍ତି, ତାହାର ଆଧାର କ’ଣ, ସେ ସମ୍ପର୍କରେ ମଧ୍ୟ ବିରୋଧୀ ପ୍ରଶ୍ନ ଉଠାଇବେ।
ତେବେ ପୂର୍ବ ଅଧିବେଶନ ପରି ଏଥର ସବୁଦିନେ ବିରୋଧୀ ଦଳ ଗୃହକାର୍ଯ୍ୟ କରାଇଦେବେନି ନା ଅନ୍ୟ କିଛି ରଣନୀତି କରିବେ, ତାହା ସ୍ପଷ୍ଟ ହୋଇ ନାହିଁ। ଉଭୟ ବିଜେଡି ଓ କଂଗ୍ରେସର ସଂଖ୍ୟାଧିକ ସଦସ୍ୟ ଗୃହକାର୍ଯ୍ୟକୁ ସମ୍ପୂର୍ଣ୍ଣ ଅଚଳ କରାଇଦେବା ସପକ୍ଷରେ ନାହାନ୍ତି। ଏହା ଶାସକ ଦଳକୁ ସୁହାଉଛି ବୋଲି ସେମାନେ ମତ ଦେଉଛନ୍ତି। ଯଦିଓ ଦଳୀୟ ନିଷ୍ପତ୍ତି ବିରୋଧରେ ଗଣମାଧ୍ୟମରେ କହୁନାହାନ୍ତି, ତେବେ ଅନୌପଚାରିକ ଆଲୋଚନା ବେଳେ ଏପରି କହୁଥିବା ଦେଖିବାକୁ ମିଳୁଛି। ଏପରିକି କିଛି ବିଧାୟକ ଏ ସମ୍ପର୍କରେ ଦଳର ସଭାପତିଙ୍କୁ ମଧ୍ୟ ଜଣାଇଛନ୍ତି। ତେଣୁ ବଡ଼ ବଡ଼ ପ୍ରସଙ୍ଗରେ ସରକାରଙ୍କୁ ଅଧିକ ଅଡ଼ୁଆରେ ପକାଇବା ପାଇଁ ଗୃହକୁ ସବୁବେଳେ ଅଚଳ ନୁହେଁ, ମଝିରେ ମଝିରେ ଆଲୋଚନା ଦରକାର ବୋଲି ସେମାନେ ମତ ରଖିଛନ୍ତି। ତେଣୁ ଏ ନେଇ ଉଭୟ ବିଜେଡି ଓ କଂଗ୍ରେସ ଦଳରେ ଅଧିକ ମାନସ ମନ୍ଥନ ଚାଲିଛି। ୧୭ ତାରିଖରେ ହେବାକୁ ଥିବା ବିଧାୟକ ଦଳ ବୈଠକରେ ଚିତ୍ର ସ୍ପଷ୍ଟ ହେବ। ୧୭ ତାରିଖରେ ତିନିଟି ଯାକ ଦଳର ରଣନୀତି ପ୍ରସ୍ତୁତି ପାଇଁ ବୈଠକ ହେବ। ବିଜେପି ଓ କଂଗ୍ରେସର ବୈଠକ ବିଧାନସଭାରେ ଏବଂ ବିଜେଡିର ବୈଠକ ଶଙ୍ଖ ଭବନରେ ହେବ। ଏହା ବାଦ୍ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ମଧ୍ୟ ସେହିଦିନ ଅନୁଷ୍ଠିତ ହେବ। ୧୮ ତାରିଖରେ ହେବାକୁ ଥିବା ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବ। ଏଥିରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ଅର୍ଥାତ୍ ୧୮ ତାରିଖରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ ହେବ। ୩୦ ତାରିଖରେ ବ୍ୟୟମଞ୍ଜୁରି ବିଲ୍ ପାରିତ ହେବ।

2 hours ago
1


