ARTICLE AD BOX
ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ଅପମାନିତ କରିବା ଏବଂ ଧମକ ଦେବା ଅଭିଯୋଗରେ ଗଜପତି ଜିଊ୍ଊର ପାରଳାଖେମୁଣ୍ଡି ସାଇବର କ୍ରାଇମ୍ ଓ ଇକୋନୋମିକ୍ ଅଫେନ୍ସ ଥାନା ପୁଲିସ ବାଲେଶ୍ୱର ଜିଲ୍ଲାରୁ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସୋର ଥାନା ଅନ୍ତର୍ଗତ ନୂଆପୁର ଗ୍ରାମର ଭରତ କୁମାର ମହାରଣା (୩୪)।
ପୁଲିସ କହିଛି ରାମଗିରି ଥାନା ଅଞ୍ଚଳର ୨୨ ବର୍ଷୀୟା ଯୁବତୀ ୨୦୨୩ରେ ଜୀବିକା ପାଇଁ ଚେନ୍ନାଇ ଯାଇଥିଲେ। ସେଠାରେ ଏକ ସପିଂ ମଲ୍ରେ କାମ କରୁଥିବା ବେଳେ ଭରତଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ିଉଠିଥିଲା। ପ୍ରାୟ ଦୁଇ ବର୍ଷ ଚେନ୍ନାଇରେ ରହି କାମ କରିବା ପରେ ଯୁବତୀ ନଭେମ୍ବର ୨୦୨୫ରେ ନିଜ ଗାଁକୁ ଫେରିଥିଲେ।
ଯୁବତୀଙ୍କ ଅଭିଯୋଗ ପ୍ରକାରେ ଭରତ ତାଙ୍କୁ ପୁଣି ଚେନ୍ନାଇ ଯିବାକୁ କହିଥିଲେ। ତେବେ ସେ ମନା କରିବାରୁ ଅଭିଯୁକ୍ତ ଫୋନ୍ରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ଏଥିସହ ଯୁବତୀଙ୍କ ଫଟୋ ଓ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି। ପ୍ରାୟ ୪ ମାସ ପୂର୍ବେ ଯୁବତୀ ସାଇବର ଥାନାରେ ଅଭିଯୋଗ କରି ସମ୍ପୃକ୍ତ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ ଡିଲିଟ୍ କରିବାକୁ ଅନୁରୋଧ କରିଥିଲେ।
ପୁଲିସ ହସ୍ତକ୍ଷେପ ପରେ ଉକ୍ତ ଆକାଉଣ୍ଟ୍ ଦୁଇଥର ଡିଲିଟ୍ ହୋଇଥିଲେ ମଧ୍ୟ ଅଭିଯୁକ୍ତ ପୁଣି ‘linaramagiri’ ନାମରେ ନୂଆ ଆକାଉଣ୍ଟ୍ ଖୋଲି ଯୁବତୀଙ୍କ ଫଟୋ ଓ ଭିଡିଓ ପୋଷ୍ଟ କରିଥିବା ପୁଲିସ କହିଛି। ଘଟଣାରେ ବ୍ୟବହୃତ ଅଭିଯୁକ୍ତଙ୍କ ଦୁଇଟି ମୋବାଇଲ୍ ଫୋନ୍ Samsung Galaxy E54 5G ଓ Vivo Y20 ପୁଲିସ ଜବତ କରିଛି। ତଦନ୍ତ ସମୟରେ ପ୍ରାଥମିକ ପ୍ରମାଣ ମିଳିବା ପରେ ଭରତଙ୍କୁ ଗିରଫ କରାଯାଇଥିବା ସାଇବର ଥାନା ପକ୍ଷରୁ କୁହାଯାଇଛି। ଏହି ମାମଲାରେ BNSର ଧାରା ୨୯୬, ୩୫୧(୨), ୭୪ ଏବଂ IT Actର ଧାରା ୬୭/୬୭(ଏ) ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ପରେ ଅଭିଯୁକ୍ତଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇ ଆଜି କୋର୍ଟ ଚାଲାଣ କରିଥିବା ପାରଳାଖେମୁଣ୍ଡି ସାଇବର ଥାନା ଅଧିକାରୀ ଟୁନା ଶବର ସୂଚନା ଦେଇଛନ୍ତି।

1 week ago
6


