ARTICLE AD BOX
ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ):ଗଜପତିଜିଲ୍ଲା ପାରଳାଖେମୁଣ୍ଡି ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରେ ଘଟିଥିବା ୫ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ପାରଳାଖେମୁଣ୍ଡି ମଡେଲ ଥାନା ପୁଲିସ ବଡ଼ ସଫଳତା ପାଇଛି। ଘଟଣାରେ ସମ୍ପୃକ୍ତ ଆନ୍ଧ୍ରପ୍ରଦେଶର ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ସମ୍ପୂର୍ଣ୍ଣ ୫ ଲକ୍ଷ ଟଙ୍କା, ବ୍ୟାଙ୍କ ପାସ୍ବୁକ୍, ଚେକ୍ବୁକ୍ ଏବଂ ଏକ ମୋଟରସାଇକେଲ ଜବତ କରାଯାଇଛି। ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରହିଛି।
ପୁଲିସ ସୂଚନା ଅନୁଯାୟୀ, ଗୁରାଣ୍ଡି ଥାନା ଅନ୍ତର୍ଗତ ସଇଲାଡା ଗ୍ରାମର ଏମ୍. ସୁରିୟା ରାଓ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ରାସ୍ତାରେ କିଛି ଟଙ୍କା ପକାଇ ତାଙ୍କ ଧ୍ୟାନ ଭଙ୍ଗ କରିଥିଲେ। ସେ ଟଙ୍କା ଉଠାଉଥିବା ସୁଯୋଗରେ ୫ ଲକ୍ଷ ଟଙ୍କା ଥିବା ବ୍ୟାଗ୍କୁ ଝାମ୍ପି ନେଇ ଦୁଇଟି ମୋଟରସାଇକେଲରେ ଫେରାର ହୋଇଯାଇଥିଲେ। ତୁରନ୍ତ ନାକାବନ୍ଦୀ ଓ ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ଗାରାବନ୍ଧ ନିକଟରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲା।
ତମପଡ଼ା କୋ ଅପରେଟିଭ ବ୍ୟାଙ୍କ ଶାଖାରୁ ୧୫ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ
ଗିରଫ ଅଭିଯୁକ୍ତ ହେଲେ ଆନ୍ଧ୍ରପ୍ରଦେଶର ପେଟଲା ଦେବଧାନମ ଓରଫ ଦେବା (୪୦) ଏବଂ ଗୋଡ୍ଡେଟି ସଲମାନ (୫୪)। ପୋଲିସ ତଦନ୍ତରୁ ଜଣାପଡ଼ିଛି, ଏହି ଗ୍ୟାଙ୍ଗ ବଲାଙ୍ଗୀର, କଳାହାଣ୍ଡି, ଗଞ୍ଜାମ, ବ୍ରହ୍ମପୁର ଓ ଗଜପତି ସମେତ ୫ଟି ଜିଲ୍ଲାରେ ଘଟିଥିବା ୧୧ଟି ଲୁଟ୍ ଓ ଚୋରି ମାମଲାରେ ସମ୍ପୃକ୍ତ ଏବଂ ପୋଲିସର ୱାଣ୍ଟେଡ୍ ତାଲିକାରେ ଥିଲେ। ଏଥିରେ ବ୍ରହ୍ମପୁରର ୪.୩୦ ଲକ୍ଷ ଟଙ୍କା ଲୁଟ୍ ଓ ୨୦୨୫ ମସିହାର ପାରଳାଖେମୁଣ୍ଡିର ୨.୯୦ ଲକ୍ଷ ଟଙ୍କା ଚୋରି ମାମଲା ମଧ୍ୟ ସାମିଲ ଥିବା ପୋଲିସ କହିଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ସହ ଗ୍ୟାଙ୍ଗର ଅନ୍ୟ ରାଜ୍ୟରେ ଅପରାଧିକ ସମ୍ପୃକ୍ତି ନେଇ ତଦନ୍ତ ଜାରି ରହିଛି।

1 hour ago
1


