ARTICLE AD BOX
ବ୍ରହ୍ମପୁର (ଅମିତ କୁମାର ସାହୁ): ଋଣ କରିଥିଲେ, ସଞ୍ଚିତ ଅର୍ଥ ଖର୍ଚ୍ଚ କରିଥିଲେ। ଦିନରାତି ପରିଶ୍ରମ କରି ପ୍ରାୟ ୫ ଏକର ଜମିରେ ଜହ୍ନି, ବାଇଗଣ, କାଙ୍କଡ଼ ଓ ମୂଳା ଚାଷ କରିଥିଲେ। ଭଲ ଅମଳ ହେଲେ ଋଣ ଶୁଝିବା ସହ ପରିବାରର ଆର୍ଥିକ ସ୍ଥିତି ସୁଧୁରିବ ବୋଲି ଆଶା ବାନ୍ଧିଥିଲେ। ହେଲେ ଅମଳ ପୂର୍ବରୁ ସବୁ ସ୍ବପ୍ନକୁ ଧୋଇନେଇଛି ବନ୍ୟାପାଣି। ଜମିରେ ଏବେ ପାଣି ଲହଡ଼ି ଭାଙ୍ଗୁଛି, ଆଉ ଚାଷୀଙ୍କ ଆଖିରେ ଲୁହ। ଗଞ୍ଜାମଜିଲ୍ଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମର ପରିବା ଚାଷୀ ବିଶ୍ବଜିତ ପଣ୍ଡାଙ୍କ ଦୁର୍ଦ୍ଦଶା ଏବେ ଏହି ବିପର୍ଯ୍ୟୟର କରୁଣ ଚିତ୍ରକୁ ସାମନାକୁ ଆଣିଛି। ‘ମୋର ସବୁ କିଛି ଭାସିଗଲା। ଏତେ ବଡ଼ କ୍ଷତିର ଭରଣା କିପରି ହେବ, ତାହା ଜାଣିପାରୁନାହିଁ’ ବୋଲି କୋହଭରା କଣ୍ଠରେ ସେ କହିଛନ୍ତି।
Education: ବିଜେଇଏମ୍ ସ୍କୁଲ୍-୨ରେ ‘ସୃଜନ ସଙ୍ଗମ’ ବାର୍ଷିକ ପ୍ରଦର୍ଶନୀ
‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମରେ ପନିପରିବା ଚାଷ ସଂପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଛି। କେବଳ ବିଶ୍ବଜିତ ନୁହନ୍ତି, ତାଙ୍କ ଭଳି ବହୁ ଚାଷୀ ବଡ଼ କ୍ଷତି ସହିିଥିବା ଜଣାପଡ଼ିଛି। ବିଶ୍ବଜିତ ୧୦ ଭରଣରୁ ଅଧିକ ଜମିରେ ପରିବା ସହ ଧାନଚାଷ କରିଥିଲେ। ତିନି ମାସ ହେବ ପରିବା ଚାଷ ଆରମ୍ଭ କରିଥିବା ବେଳେ ପାଗ ଅନୁକୂଳ ଥିବାରୁ ଭଲ ଅମଳ ଆଶା ରଖିଥିଲେ। ଛତିଶଗଡ଼ ରାୟପୁର ଅଞ୍ଚଳରୁ ୩୫ ହଜାର ଟଙ୍କାର ବାଇଗଣ ବିହନ ଆଣିଥିଲେ। ୭୦ ହଜାର ଟଙ୍କାରେ ମୋଲଚିଂ ମ୍ୟାଟ୍ (ଘାସ ନହେବା ପାଇଁ ଜମିରେ ପଡ଼ୁଥିବା ଗାଲିଚା), ବୁନ୍ଦା ଜଳସେଚନର ବ୍ୟବସ୍ଥା ପାଇଁ ୧ ଲକ୍ଷ ୫୦ ହଜାର, ଜମିରେ ଅନ୍ୟାନ୍ୟ ଖର୍ଚ୍ଚ ୫୦ ହଜାର, ଶ୍ରମିକ ବାବଦରେ ୨ ଲକ୍ଷ ଓ ବାଉଁଶ ପ୍ରାୟ ୩ ଲକ୍ଷ ଏମିତି ସମୁଦାୟ ପ୍ରାୟ ୧୦ ଲକ୍ଷ ଟଙ୍କା ନିଜେ ଯୋଗାଡ଼ କରିଥିବା ବେଳେ ୪ ଲକ୍ଷ ଟଙ୍କା ଋଣ ଆଣିଥିଲେ। ଜଳସ୍ତର ବୃଦ୍ଧି ଯୋଗୁଁ ଘୋଡ଼ାହାଡ଼ ଡ୍ୟାମ୍ର ୫ଟି ଗେଟ୍ ଖୋଲିବାରୁ ଆଖି ପିଛୁଳାକେ ପାଣି ମାଡ଼ି ଆସି ସବୁ ଉଜାଡ଼ି ନେଲା। ପୂର୍ବରୁ ‘ଫାଇଲିନ୍’ ଓ ‘ଫନି’ରେ ମଧ୍ୟ ଚାଷ ନଷ୍ଟ ହୋଇଥିଲା। ତେବେ ଏହି ବନ୍ୟା ମୋ’ ଜୀବନରେ ବଡ଼ ବିପର୍ଯ୍ୟୟ ଆଣିଛି ବୋଲି କହିଛନ୍ତି ବିଶ୍ବଜିତ।
Helicopter crash: ହେଲିକପ୍ଟର ଦୁର୍ଘଟଣାର ସମସ୍ତ ଛଅ ଜଣଙ୍କ ମରଶରୀର ଉଦ୍ଧାର
ସେହିପରି ଆଉ ଜଣେ ଚାଷୀ ଲକ୍ଷ୍ମଣ କୁମାର ଗୌଡ଼। ସୁନା ବନ୍ଧକ ପକାଇ ଚାଷ କାମ ଆରମ୍ଭ କରିବା ସହ ଭଲ ଅମଳ ଆଶାରେ ରାତିଦିନ ଏକ କରି ପରିଶ୍ରମ କରୁଥିଲେ। କଲରାଠାରୁ ଆରମ୍ଭ କରି ଭେଣ୍ଡି, କାକୁଡ଼ି, ବୋଇତାଳୁ ଆଦି ଚାଷ କରିଥିଲେ। ଏଥିପାଇଁ ଖର୍ଚ୍ଚ କରିଥିଲେ ପ୍ରାୟ ୨ ଲକ୍ଷରୁ ଅଧିକ ଟଙ୍କା। ବର୍ତ୍ତମାନ ବନ୍ୟାରେ ସବୁ ସଫା। ଚାଷର ଚିହ୍ନବର୍ଣ୍ଣ ନାହିଁ। ପ୍ରାୟ ୨୫ ଭରଣ ଜମିରେ ଧାନ ନଷ୍ଟ ହୋଇଯାଇଛି। ଜମିରୁ ପାଣି ନିଷ୍କାସନ ପରେ ଶ୍ରମିକଙ୍କୁ ନିୟୋଜିତ କରି ଗଛ ଟେକାଯାଇଛି। କିନ୍ତୁ ଅମଳ ଆଶା କ୍ଷୀଣ ବୋଲି ଲକ୍ଷ୍ମଣ କହିଛନ୍ତି। କେବଳ ଦିଗପହଣ୍ଡି ବ୍ଲକ୍ ନୁହେଁ, ଗଞ୍ଜାମ ଜିଲ୍ଲାର ପନିପରିବା ଝୁଡ଼ି ଭାବେ ପରିଚିତ ହିଞ୍ଜିଳିକାଟୁ, ଶେରଗଡ଼, ସାନଖେମୁଣ୍ଡି, ପୁରୁଷୋତ୍ତମପୁର ଓ ସୋରଡ଼ାରେ ବି ବ୍ୟାପକମାତ୍ରାରେ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ଦିଗପହଣ୍ଡି ବ୍ଲକ କଇଠଖଣ୍ଡିରେ ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରଭାତ ପାତ୍ର, ଉଦ୍ୟାନ କୃଷି ଅଧିଦର୍ଶକ ଶର୍ମିଷ୍ଠା ବେହେରାଙ୍କ ସମେତ ଉଦ୍ୟାନସାଥୀଙ୍କ ଟିମ୍ କ୍ଷୟକ୍ଷତି ଆକଳନ କରିଛନ୍ତି।

1 hour ago
3


