ARTICLE AD BOX
କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ଓ ଧମକ ଅଭିଯୋଗକୁ ନେଇ କଟକ ଜେଏମଏଫସି ଅଦାଲତରେ ବିଚାରାଧୀନ ମାମଲା ଉପରେ ରହିତାଦେଶ ବଳବତ୍ତର ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟଙ୍କ ୨୦୨୬, ଜାନୁଆରି ୩୦ର ରାୟକୁ ଚାଲେଞ୍ଜ କରି ପୂର୍ବତନ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅନ୍ୟ ଦୁଇଜଣ ଦାୟର କରିଥିବା ମାମଲାରେ ସୁପ୍ରିମକୋର୍ଟରେ ଓଡ଼ିଶା ସରକାର ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ସୁପ୍ରିମକୋର୍ଟ କହିଛନ୍ତି। ୨୦୨୭, ଜାନୁଆରି ୧୧କୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି। ପୂର୍ବରୁ ୨୦୨୬, ଜୁନ ୧୫ରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ ସଞ୍ଜୟ କୁମାର ଓ ଜଷ୍ଟିସ ସଞ୍ଜୀବ ସଚଦେବାଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନୁଭବମହାନ୍ତି, ସୁଜିତ ଦଳାଇ, ଖଗେନ୍ଦ୍ର ପ୍ରସାଦ ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ମାମଲା ଉପରେ ରହିତାଦେଶ ଜାରି କରିଥିଲେ
ଏଠାରେ ସୂଚନା ଯୋଗ୍ୟ ଯେ ଜୁନ ୧୫ରେ ସୁପ୍ରିମକୋର୍ଟ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ପ୍ରତିପକ୍ଷ ଓଡ଼ିଶା ସରକାର ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ ଜାରି କରିଥିଲେ। ଏଥି ସହିତ କଟକ ଜେଏମଏଫସି ଅଦାଲତରେ ବିଚାରାଧୀନ ମାମଲା ଉପରେ ରହିତାଦେଶ ଜାରି କରିଥିଲେ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜେଏମଏଫସି ଅଦାଲତରେ ବିଚାରାଧୀନ ମାମଲାରେ ଅନୁଭବ ଦାୟର କରିଥିବା ଡିସଚାର୍ଜ ପିଟିସନ ୨୦୨୪ରେ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅନୁଭବ ଓ ଅନ୍ୟ ଦୁଇ ଜଣଙ୍କ ତରଫରୁ ଦାୟର ଆବେଦନକୁ ହାଇକୋର୍ଟ ୨୦୨୬, ଜାନୁଆରି ୩୦ରେ ଖାରଜ କରିଥିଲେ। ଡିସଚାର୍ଜ ପିଟିସନ ଖାରଜ ସଂପର୍କିତ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶ ହାଇକୋର୍ଟରେ କାଏମ ରହିଥିଲା। ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ଅନୁଭବ ଓ ଅନ୍ୟ ଦୁଇ ଜଣ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।
/filters:format(webp)/sambad/media/media_files/2026/11/10/anubhav-barsha-2026-11-10-10-23-08.jpg)
ମାମଲାର ବିବରଣୀରୁ ପ୍ରକାଶ ଯେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏତଲା ଆଧାରରେ ପୁରୀଘାଟ ଥାନା ପୁଲିସ ୨୦୨୦, ଡିସେମ୍ବର ୧୯ରେ ଆଇପିସିର ଦଫା ୪୯୮-କ, ୩୪୧, ୫୦୬ ଓ ୩୪ରେ ଅନୁଭବ ଓ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ତଦନ୍ତ ପରେ ଅନୁଭବ ଓ ଅନ୍ୟମାନଙ୍କ ବିରୋଧରେ ୨୦୨୩, ଡିସେମ୍ବର ୧୮ରେ ପୁଲିସ ଚାର୍ଜସିଟ ଦାଖଲ କରିଥିଲା। ଅନୁଭବଙ୍କ ବିରୋଧରେ ଆଇପିସିର ଦଫା ୪୯୮-କ, ୫୦୬, ୩୪୧, ୨୯୪, ୫୦୯, ୩୪, ୧୦୯ ଏବଂ ଖଗେଶ୍ବର ଓ ସୁଜିତଙ୍କ ବିରୋଧରେ ଆଇପିସିର ଦଫା ୩୪/୫୦୯ରେ ଚାର୍ଜସିଟ ଦାଖଲ ହୋଇଥିଲା। ଚାର୍ଜସିଟ ପରେ କଟକ ସଦର ଏସଡିଜେଏମ ଅଦାଲତ ଅନୁଭବ ଓ ଅନ୍ୟ ଦୁଇ ଜଣଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କରିଥିଲେ। ଏହାପରେ ସାଂସଦ ଓ ବିଧାୟକଙ୍କ ମାମଲା ଶୁଣାଣି ପାଇଁ ଥିବା ସ୍ବତନ୍ତ୍ର ଅଦାଲତକୁ ଏହି ମାମଲା ସ୍ଥାନାନ୍ତର ହୋଇ ଆସିଥିଲା। ଅଭିଯୋଗରେ ସତ୍ୟତା ଓ ଉପଯୁକ୍ତ ପ୍ରମାଣ ନଥିବାରୁ ଏହି ମାମଲାରୁ ତାଙ୍କୁ ଡିସଚାର୍ଜ କରାଯାଉ ବୋଲି ଦର୍ଶାଇ ଅନୁଭବ ଓ ଅନ୍ୟ ଦୁଇ ଜଣଙ୍କ ତରଫରୁ ଦାଖଲ ଡିସଚାର୍ଜ ପିଟିସନକୁ ଅଦାଲତ ଖାରଜ କରିଥିଲେ।

2 days ago
3


