ARTICLE AD BOX
ଫ୍ୟାସନ୍ ଦୁନିଆରେ ପୋଷାକ ଓ ମେକଅପ୍ ଭଳି ନଖର ସୌନ୍ଦର୍ଯ୍ୟ ମଧ୍ୟ ଏବେ ଷ୍ଟାଇଲ୍ ଷ୍ଟେଟମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ଏବେ ‘ଏମେଥିଷ୍ଟ ନେଲ୍ ଆର୍ଟ’ ନାମକ ନଖସଜ୍ଜା ଲୋକପ୍ରିୟ ହେଉଛି। ବାଇଗଣୀ ରଙ୍ଗର ରତ୍ନ ପଥର ଏମେଥିଷ୍ଟ ଦ୍ବାରା ଏହା ଅନୁପ୍ରାଣିତ। ସାଧାରଣ ନେଲ୍ ପଲିସ୍ଠାରୁ ଏହାର ଡିଜାଇନ୍ ଟିକେ ଭିନ୍ନ। ନଖ ଉପରେ ରତ୍ନ ପଥରର ପ୍ରାକୃତିକ ଗଠନ ଓ ରଙ୍ଗର ଗଭୀରତାକୁ ଫୁଟାଇବା ପାଇଁ ବିଭିନ୍ନ ରଙ୍ଗ, ଗ୍ଲିଟର୍, କ୍ରୋମ୍ ଓ ଟ୍ରାନ୍ସପରେଣ୍ଟ ଫିନିସ୍ ବ୍ୟବହାର କରାଯାଉଛି। ବିଶେଷକରି କ୍ରୋମ୍ ଚମକ, କ୍ୟାଟ୍-ଆଇ ଇଫେକ୍ଟ, ହାଲୁକା ଲାଭେଣ୍ଡର୍ ଓ କ୍ରିଷ୍ଟାଲ୍ ଡିଜାଇନ୍ ଭଳି ବିଭିନ୍ନ ଶୈଳୀରେ ଏମେଥିଷ୍ଟ ନେଲ୍ ଆର୍ଟ କରାଯାଉଛି। ଚକମକିଆ ଲୁକ୍ ପାଇଁ କ୍ରୋମ୍ ଓ କ୍ରିଷ୍ଟାଲ୍ ଡିଜାଇନ୍ ଏବଂ ସରଳ ଲୁକ୍ ପାଇଁ ହାଲୁକା ବାଇଗଣୀ ଡିଜାଇନ୍ ଅଧିକ ପସନ୍ଦ କରାଯାଉଛି।
ଏହି ନଖସଜ୍ଜାର ଆଉ ଏକ ବିଶେଷତ୍ୱ ହେଉଛି ତ୍ୱଚାର ରଙ୍ଗ ଅନୁସାରେ ଏଥିରେ ରଙ୍ଗ ବାଛିହେବ। ହାଲୁକା ତ୍ୱଚା ପାଇଁ ହାଲୁକା ବାଇଗଣୀ, ମଧ୍ୟମ ତ୍ୱଚା ପାଇଁ ଉଜ୍ଜ୍ୱଳ ବାଇଗଣୀ ଏବଂ ଗାଢ଼ ତ୍ୱଚା ପାଇଁ ଗାଢ଼ ବାଇଗଣୀ ରଙ୍ଗ ବେଶ୍ ମାନିଥାଏ। ପୋଷାକ ସହ ନଖର ରଙ୍ଗକୁ ମେଳ କରି ପିନ୍ଧିଲେ ଲୁକ୍ ଆହୁରି ସୁନ୍ଦର ହୋଇଥାଏ। ବିଶେଷକରି ବିବାହ ଓ ପାର୍ଟି ଭଳି ଉତ୍ସବରେ ଏହା ଏକ ଆକର୍ଷଣୀୟ ବିକଳ୍ପ ହୋଇପାରେ। ତେବେ ନଖର ସୌନ୍ଦର୍ଯ୍ୟ ସହ ଏହାର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଯତ୍ନବାନ୍ ହେବା ଜରୁରି। ନଖକୁ ସଫା ରଖିବା, ନଖ ଚାରିପାଖରେ ନିୟମିତ ମଶ୍ଚରାଇଜର୍ ଲଗାଇବା ଓ ଭଲ ଗୁଣବତ୍ତାସମ୍ପନ୍ନ ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ଗୁରୁତ୍ବପୂର୍ଣ୍ଣ।

2 hours ago
1


