ARTICLE AD BOX
ଭୁବନେଶ୍ବର: ରବିବାର ସକାଳେ ହେଲା ପାଟିତୁଣ୍ଡ। ଦେଖାଦେଖି ହେବେ ବୋଲି ଉଭୟ ଗୋଷ୍ଠୀ ପରସ୍ପରକୁ ଟକର୍ ଦେଲେ। ସତକୁ ସତ ମାତ୍ର ୨/୩ଘଣ୍ଟା ପରେ ଗୋଟିଏ ପକ୍ଷ ଅପରପକ୍ଷର ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ପକାଇଲେ। ଦିନ ଦିପହରେ ରାଜଧାନୀର ରାଜରାସ୍ତାରେ ଘଟିଗଲା ଦୁର୍ବୃତ୍ତମାନଙ୍କ ଭୟଙ୍କର କାଣ୍ଡ। ସୌଭାଗକୁ ଖଣ୍ଡା ଚୋଟରେ ଗୁରୁତର ସତ୍ୟଜିତ ବରାଳ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ସେହିଭଳି ବଡ଼ଗଡ଼ ଥାନା ପୁଲିସ ୨ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବଡ଼ଗଡ଼ ଥାନା ପଦାସାହିର ନିହାର ସିଂହ(୧୯) ଓ ଆଶୁତୋଷ ପାତ୍ର(୧୯)। ସେମାନଙ୍କଠାରୁ ପୁଲିସ ୨ଟି ଖଣ୍ଡା ଜବତ କରିଛି। ଏହି ମାମଲାରେ ସମ୍ପୃକ୍ତ ନିହାରର ୪ ସାଙ୍ଗ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଗିରଫ କରିବାକୁ ବଡ଼ଗଡ଼ ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଘଟଣାଟି ଆଜି ରାଜଧାନୀର ବିଗିଡ଼ିଯାଇଥିବା ଆଇନଶୃଙ୍ଖଳା ସ୍ଥିତିର ଏକ ନଗ୍ନ ନମୁନା ବୋଲି ଚର୍ଚ୍ଚା ହେଉଛି। କିଶୋର ବୟସରୁ ଅଳ୍ପ ଦିନ ହେଲା ଯୁବକ ଅବସ୍ଥାକୁ ଆସିଥିବା ନିହାର ଓ ଆଶୁତୋଷଙ୍କ ଭଳି ପିଲାମାନେ ଖଣ୍ଡା ଧରି ଦିନ ଦିପହରରେ ରାଜରାସ୍ତାରେ ଏଭଳି କାଣ୍ଡ ଭିଆଇ ପାରୁଥିବାରୁ ପୁଲିସ ପ୍ରତି ଅପରାଧୀମାନଙ୍କର ଆଦୌ ଭୟ ନାହିଁ ବୋଲି ଚର୍ଚ୍ଚା ଜୋର୍ ଧରିଛି।
Book released: ‘ଅମ୍ଳାନ ସୃତି’ ବହିର ଉନ୍ମଚନ
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଙ୍କୁଆଳ ମହୁଲପଡ଼ାସାହି ଅଞ୍ଚଳର ସତ୍ୟଜିତ୍ଙ୍କ ସହ ବଡ଼ଗଡ଼ ପଦାସାହି ଅଞ୍ଚଳର ନିହାର, ଆଶୁତୋଷଙ୍କ ଭିତରେ ବିବାଦ ଲାଗି ରହିଥିଲା। ବହୁ ସମୟରେ ସେମାନଙ୍କ ଭିତରେ ଟକରାଟକରି ଚାଲିଥିଲା। ଆଜି ସକାଳ ପ୍ରାୟ ୧୦ଟା ବେଳେ ପୁରୀ ଜାତୀୟ ରାଜପଥରେ ସତ୍ୟଜିତ୍ ଓ ନିହାର ମଧ୍ୟରେ ପୁଣି ପାଟିତୁଣ୍ଡ ହୋଇଥିଲା। ଏହାପରେ ସେମାନେ ପୂର୍ବ ଭଳି ପରସ୍ପରକୁ ଧମକ ଦେଇ ସେଠାରୁ ପଳାଇଥିଲେ। ଏଥିରେ ନିହାର ବେଶ୍ ଉତ୍କ୍ଷିପ୍ତ ହୋଇପଡ଼ିଥିଲା ଏବଂ ଆଜି ହିଁ ସତ୍ୟଜିତ୍କୁ ପାନେ ଦେବାକୁ ଯୋଜନା କରିଥିଲା। ଏନେଇ ସେ ତା’ର ସାଙ୍ଗ ଆଶୁତୋଷ ଓ ଅନ୍ୟ ୪ଜଣଙ୍କୁ ଡାକି ଯୋଜନା କରିଥିଲା। ଆଜି ହିଁ ସତ୍ୟଜିତକୁ ଆକ୍ରମଣ କରାଯିବ ବୋଲି ସ୍ଥିର ହୋଇଥିଲା। ଯୋଜନା ଅନୁସାରେ ନିହାର ଉକ୍ତ ଅଞ୍ଚଳରେ ଘୂରି ବୁଲିଲା ଏବଂ ସତ୍ୟଜିତ୍କୁ ଠାବ କରିବାକୁ ଛକି ରହିଲା। ଅପରାହ୍ଣ ପ୍ରାୟ ସାଢ଼େ ୧୨ଟା ବେଳେ ସତ୍ୟଜିତ୍ ଓ ତା’ର ଜଣେ ସାଙ୍ଗ ହୋଟେଲ୍ ଦେଶୀ ଆଡିକ୍ଟ ନିକଟରେ ଥିବା ନିହାର ଦେଖିଥିଲା। ତୁରନ୍ତ ସେ ସାଙ୍ଗମାନଙ୍କୁ ଫୋନ୍କଲା। ମାତ୍ର କେଇ ମିନିଟ୍ ଭିତରେ ଆଶୁତୋଷ ଓ ଅନ୍ୟ ୪ଜଣ ୩ଟି ବାଇକ୍ରେ ପହଞ୍ଚିଥିଲେ। ସେମାନେ ଖଣ୍ଡା ଧରି ଆସିଥିଲେ। ସତ୍ୟଜିତ୍ କିଛି ବୁଝିବା ପୂର୍ବରୁ ସେମାନେ ତାଙ୍କୁ ଅତର୍କିତ ଆକ୍ରମଣ କଲେ। ଜୀବନ ବିକଳରେ ସତ୍ୟଜିତ ଧାଇଁଥିଲେ ବି ଅଭିଯୁକ୍ତମାନଙ୍କ ଖଣ୍ଡା ଚୋଟରୁ ବର୍ତ୍ତି ପାରିନଥିଲେ। ନିହାରର ଖଣ୍ଡା ପାହାରରେ ତାଙ୍କର ଗୋଟିଏ ହାତ ଓ ପିଠିରେ ଗଭୀର କ୍ଷତ ହୋଇଥିଲା। ଘଟଣା ବେଳେ ବହୁ ଲୋକ ଦେଖୁଥିଲେ ହେଁ ଖଣ୍ଡାଧାରୀ ଦୁର୍ବୃତ୍ତମାନଙ୍କ ଆଗକୁ ଯାଇ ରୋକିବାକୁ କାହାର ଜୁ ନଥିଲା। ସତ୍ୟଜିତ ରକ୍ତାକ୍ତ ହୋଇ ତଳେ ପଡ଼ିଯିବାରୁ ନିହାର ଗୋଷ୍ଠୀ ସେଠାରୁ ଚମ୍ପଟ ମାରିଥିଲେ। ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳରୁ ସତ୍ୟଜିତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏହାପରେ ପୁଲିସ ପଦାସାହିରେ ଚଢ଼ଉ କରି ନିହାର ଓ ଆଶୁତୋଷକୁ ଗିରଫ କରିଥିଲା।
Jharkhand exam protest: ଝାଡ଼ଖଣ୍ଡ ପରୀକ୍ଷା ବିବାଦ: ଅନଶନରତ ଛାତ୍ରନେତାଙ୍କ ସ୍ବାସ୍ଥ୍ୟରେ ଅବନତି

5 days ago
4


