ARTICLE AD BOX
ଭୁବନେଶ୍ୱର: ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟା ଶେଷ ହେବା ପରେ ଏବେ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (ଏସ୍ଏସ୍ଆର୍) କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ନଭେମ୍ବର ୩୦ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିବାବେଳେ ଜାନୁଆରି ୨୧ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ୨୦୨୭ ଜାନୁଆରି ୧କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଏହି ତାଲିକା ପ୍ରକାଶ ପାଇବ। ଏହାସହ ୨୦୨୭ ମସିହାର ଏପ୍ରିଲ ୧, ଜୁଲାଇ ୧ ଏବଂ ଅକ୍ଟୋବର ୧କୁ ପରବର୍ତ୍ତୀ ଯୋଗ୍ୟତା ତାରିଖ ପାଇଁ ମଧ୍ୟ ଆଗୁଆ ଆବେଦନ ଗ୍ରହଣ କରାଯିବ। ଏହି ଆବେଦନଗୁଡ଼ିକ ସମ୍ପୃକ୍ତ ତ୍ରୈମାସିକରେ ପ୍ରକ୍ରିୟାକରଣ କରାଯିବ ବୋଲି ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
IMPC meeting: ପ୍ରଭାବୀ ଲୋକ ସମ୍ପର୍କ ପାଇଁ ସହାନୁଭୂତି ଏବଂ ସ୍ୱଚ୍ଛତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ପିଆଇବି
ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟା ଶେଷ ହେବା ପରେ ଯେଉଁମାନଙ୍କର ନାମ ଭୋଟର ତାଲିକାରୁ କଟିଥିଲା ସେମାନେ କରିଥିବା ଆବେଦନକୁ ବିଚାର କରି, ନୂଆ ଭୋଟରଙ୍କୁ ତାଲିକାରେ ସାମିଲ କରିବା ପରେ ନଭେମ୍ବର ୮ ସୁଦ୍ଧା ରାଜ୍ୟରେ ମୋଟ ୩,୧୯,୧୨,୬୨୩ଜଣ ଭୋଟର ଥିବା କୁହାଯାଇଛି। ଏଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧,୬୨,୫୧,୪୪୩ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧,୫୬,୫୮,୪୦୫। ତୃତୀୟ ଲିଙ୍ଗର ଭୋଟରଙ୍କ ସଂଖ୍ୟା ୨୭୭୫। ରାଜ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ୩,୮୬,୧୮୫ ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୪,୫୨,୦୭୩ ଥିବା ଜଣାପଡ଼ିଛି।
ଜାନୁଆରି ୨୧ରେ ପ୍ରକାଶ ପାଇବାକୁ ଥିବା ଚୂଡ଼ାନ୍ତ ଭୋଟର ତାଲିକା ଯେପରି ତ୍ରୁଟିଶୂନ୍ୟ ହେବ ସେନେଇ ଆଜି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଏଥିରେ ୨୦୨୭ ମସିହା ପାଇଁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ବିଭିନ୍ନ ଦିଗ, ଏହାର କାର୍ଯ୍ୟପନ୍ଥା, ନିର୍ଦ୍ଧାରିତ ସମୟସୀମା ଏବଂ ସଂଶୋଧନ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା। ବୈଠକରୁ ଜଣାପଡ଼ିଛି ଯେ ଏହି ସଂଶୋଧନ କାର୍ଯ୍ୟକ୍ରମରେ ମତଦାନ କେନ୍ଦ୍ରଗୁଡ଼ିକର ପୁନର୍ଗଠନ ଓ ପୁନର୍ବିନ୍ୟାସ କାର୍ଯ୍ୟ ନଭେମ୍ବର ୨୦ ସୁଦ୍ଧା ଶେଷ ହେବ। ନଭେମ୍ବର ୩୦ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଲେ ଡିସେମ୍ବର ୩୦ ପର୍ଯ୍ୟନ୍ତ ଭୋଟରମାନେ ନାମ ଯୋଡ଼ିବା, ବାଦ୍ ଦେବା ଓ ସଂଶୋଧନ ସମ୍ପର୍କିତ ଦାବି ଓ ଆପତ୍ତି ଦାଖଲ କରିପାରିବେ। ଦାଖଲ ହୋଇଥିବା ଦାବି ଓ ଆପତ୍ତିଗୁଡ଼ିକର ଫଇସଲା ୨୦୨୭ ଜାନୁଆରି ୧୬ ସୁଦ୍ଧା ଶେଷ କରାଯିବ।
UCCIL: ରାଜ୍ୟପାଳଙ୍କୁ ଭେଟିଲେ ୟୁସିସିଆଇଏଲ୍ ସଭାପତି
ସେହିପରି ବୁଥ ସ୍ତରୀୟ ଏଜେଣ୍ଟମାନେ ଦୈନିକ ସର୍ବାଧିକ ୧୦ଟି ଏବଂ ଦାବି ଓ ଆପତ୍ତି ଅବଧିରେ ସମୁଦାୟ ୩୦ଟି ଫର୍ମ-୬, ୭ ଓ ୮ ସଂଗ୍ରହ କରି ଦାଖଲ କରିପାରିବେ। ଯଦି କୌଣସି ବିଏଲ୍ଏ ସମୁଦାୟ ୩୦ରୁ ଅଧିକ ଆବେଦନ ଦାଖଲ କରନ୍ତି, ତେବେ ନିର୍ବାଚକ ପଞ୍ଜୀକରଣ ଅଧିକାରୀ/ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କ ପକ୍ଷରୁ ସେଗୁଡ଼ିକର ପୁନଃଯାଞ୍ଚ କରାଯିବ। ଆବେଦନରେ ଦିଆଯାଇଥିବା ତଥ୍ୟଗୁଡ଼ିକୁ ନିଜେ ଯାଞ୍ଚ କରିଥିବା ନେଇ ବିଏଲ୍ଏମାନେ ଘୋଷଣାନାମା ଦାଖଲ କରିବେ। ଏହାସହ ମତଦାନ କେନ୍ଦ୍ରଗୁଡ଼ିକର ପୁନର୍ଗଠନ ସମ୍ପର୍କରେ ପ୍ରସ୍ତାବ ଚୂଡ଼ାନ୍ତ ହେବା ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ସେମାନଙ୍କର ପରାମର୍ଶ ଓ ପ୍ରସ୍ତାବ ଦାଖଲ କରିବାକୁ କୁହାଯାଇଛି। ଏହି ବୈଠକରେ ବିଭିନ୍ନ ରାଜନୈତିକ ପ୍ରତିନିଧିମାନଙ୍କ ସମେତ ଅତିରିକ୍ତ ସିଇଓ ସୁଶାନ୍ତ କୁମାର ମିଶ୍ର,ବିତ୍ତ ପରାମର୍ଶଦାତା ସଞ୍ଜୟ କୁମାର ଲୁଗୁନ, ଯୁଗ୍ମ ସିଇଓ ଗୋପୀନାଥ କୁଅଁର, ଡେପୁଟି ସିଇଓ ଲକ୍ଷ୍ମୀପ୍ରସାଦ ସାହୁ, ଅନାମିକା ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

1 hour ago
2


